ସାଲେପୁର ସିଏଚ୍ସିରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି

 ସାଲେପୁର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅର୍ଡର ନଂ-୨୬୬୧୩, ୧୧.୯.୨୦୨୫ ତାରିଖରେ ୪୩ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାଲା । ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ତଥା ରେଫରାଲ ଡାକ୍ତରଖାନା ହୋଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାବେଳେ ଏଠାରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ କରିବା ପାଇଁ ନିହାତି ଆବଶ୍ୟକତା ରହିଥିବାବେଳେ ସରକାର ଅଦ୍ୟାବଧି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେଇନାହାଁନ୍ତି । ସେହିପରି ଏହି ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପାଇଁ ପରୀକ୍ଷା ନିମିତ୍ତ ଏକ୍ସରେ ମେସିନ୍ ଅଚଳ ହୋଇପଡିଛି । ଇସିଜି ମେସିନ୍, ରକ୍ତର ଲିପିଡ୍ ପ୍ରୋଫାଇଲ୍ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ବ୍ୟବସ୍ଥା ନଥିବାରୁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଲେପୁର ଅଞ୍ଚଳର ପ୍ରାୟ ୨ଲକ୍ଷରୁ ଅଧିକ ଜନସାଧାରଣଙ୍କ ପାଇଁ ଏହା ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାବେଳେ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ଘରୋଇ ନର୍ସିଂହୋମ୍କୁ ଯାଉଛନ୍ତି । ବିଶେଷ କରି ମେଡ଼ିସିନ୍, ଚର୍ମ, ସର୍ଜରୀ ବିଭାଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଉନାହିଁ । ନିକଟରେ କଟକ ଜିଲ୍ଲାପାଳ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସିଥିବାବେଳେ, ତୁରନ୍ତ ଡାକ୍ତର ପଦବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହେଲା ନାହିଁ । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ସହିତ ପରୀକ୍ଷା ନିରୀକ୍ଷା ପାଇଁ ଏକ୍ସରେ ମେସିନ୍କୁ ସଚଳ କରାଇବା, ଇସିଜି ଓ ରକ୍ତ ପରୀକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି ଦାବି କରିଛନ୍ତି ।