ଜବରଦଖଲକାରୀଙ୍କ କବ୍ଜାର ସରକାରୀ ଜମି ଓ ଗୋଚର
ସାଲେପୁର : ସାଲେପୁର ଅଞ୍ଚଳରେ ବହୁ ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାବେଳେ କେତେକ ଜବରଦଖଲକାରୀ ସର୍ବସାଧାରଣ ରାସ୍ତାକୁ ମଧ୍ୟ ଜବରଦଖଲ କରି ତାହା ଉପରେ ଗୃହ ନିର୍ମାଣ କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କରିଛନ୍ତି । ସେହିପରି କଟକ ସାଲେପୁର ରାସ୍ତାର ଶିଶୁଆ ଠାରୁ କଳାଗ୍ନୀ ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଜବରଦଖଲକାରୀ ଜବରଦଖଲ କରିବା ସହ ରାସ୍ତା ଉପରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କରିଛନ୍ତି । ଏହି ସବୁ ସମସ୍ୟା ପାଇଁ ସାଲେପୁର ସହରର ଟ୍ରାଫିକ୍ ସମସ୍ୟା ଗୁରୁତର ହେବାରେ ଲାଗିଛି । ସେହିପରି ବହୁ ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରି ଗୃହ ନିର୍ମାଣ କରିବା ଓ ନିଜ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରି ବ୍ୟବସାୟ ଆଦି କରି ଚାଲିଛନ୍ତି । ଏ ସଂପର୍କରେ କଟକ ଜିଲ୍ଲାପାଳ ଅବଗତ ହେବା ପରେ ସାଲେପୁର ଅଞ୍ଚଳରେ ସରକାରୀ ଜମି ପର୍ଯ୍ୟାୟକ୍ରମେ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜବରଦଖଲକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ଜବରଦଖଲକାରୀ ସରକାରୀ ଜାଗାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦୋକାନ ଗୃହ ନିର୍ମାଣ କରିଥିବାରୁ କେଉଁ ମୁହୂର୍ତ୍ତରେ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବ, ସେ ନେଇ ଏବେ ଚିନ୍ତାରେ ପଡିଛନ୍ତି ।
ଅପରପକ୍ଷରେ ବହୁ ବ୍ୟକ୍ତି ନୟନଯୋରୀ ଓ ସର୍ବସାଧାରଣ ରାସ୍ତା, ଗୋଚର, ଅନାବାଦୀ ଜମିକୁ ଜବରଦଖଲ କରି ସ୍ଥାୟୀ ଗୃହ ନିର୍ମାଣ କରି ଚାଲିଛନ୍ତି । ସେହିପରି ସାଲେପୁର-କୁଆଁପାଳ ରାସ୍ତାର ୬ନଂ କେନାଲବନ୍ଧ ପାଶ୍ୱର୍ରେ ଥିବା ନୟନଯୋରୀକୁ ସାଲେପୁର ବଜାର ଠାରୁ ମିର୍ଜାପୁର ବଜାର ପର୍ଯ୍ୟନ୍ତ ବିଭିନ୍ନ ବଜାର ନିକଟରେ ବହୁ ବ୍ୟକ୍ତି ଜବରଦଖଲ କରି ବ୍ୟବସାୟ ପ୍ରତିଷ୍ଠାନ କରୁଥିବାବେଳେ ସାଲେପୁର କଲେଜ ରୋଡ୍ର ଉଭୟ ପାଶ୍ୱର୍ ଜବରଦଖଲ କରାଯାଇଥିବା ଜିଲ୍ଲପାଳ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସାଲେପୁର ବଜାର ରାସ୍ତାର ଉଭୟ ପାଶ୍ୱର୍ରେ ଉଠା ଦୋକାନୀ ନିଜର ବ୍ୟବସାୟ ପସରା ମେଲାଇଥିବାରୁ ଏହା ସାଲେପୁର ସହରର ଟ୍ରାଫିକ୍ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଏ ଘଟଣା ସଂପର୍କରେ ଜିଲ୍ଲାପାଳ ଅବଗତ ହେଲା ପରେ ଅସନ୍ତୋଷ ପ୍ରକାଶ କରିବା ସହ ସାଲେପୁର ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସାଲେପୁର ଅଞ୍ଚଳରେ ଜବରଦଖଲକାରୀଙ୍କ କବ୍ଜାରେ ଥିବା ସରକାରୀ ଜମିକୁ ପର୍ଯ୍ୟାୟକ୍ରମେ ଜବରଦଖଲମୁକ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । ଜବରଦଖଲ ମୁକ୍ତ ହେଲେ ବହୁ ସରକାରୀ ଜମି ସରକାରଙ୍କ ହାତକୁ ଫେରିବ ବୋଲି ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବହୁ ବ୍ୟକ୍ତି ସରକାରୀ ଜମିରେ ପାହାଡ଼ ପରି ବାଲି ଜମା କରି ଖୁଲମ୍ଖୁଲା ବେଆଇନ୍ ବାଲିଚାଲାଣ କରୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବାଲିମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।