ସାଲେପୁର ପବ୍ଲିକ୍ ସ୍କୁଲର ବାର୍ଷିକୋତ୍ସବ
ସାଲେପୁର : ସାଲେପୁର ପବ୍ଲିକ୍ ସ୍କୁଲର ୨୩ତମ ବାର୍ଷିକ ଉତ୍ସବ ସିନର୍ଜିଆ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ସାଲେପୁର ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ନିର୍ଦେଶିକା ଡଃ ଜୟନ୍ତୀ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ଅଧ୍ୟକ୍ଷ ଡଃ ଅଭିରାମ ସାହୁ ବାର୍ଷିକ ତଥ୍ୟ ପ୍ରଦାନ ପୂର୍ବକ ଚଳିତ ଶିକ୍ଷାବର୍ଷର କାର୍ଯ୍ୟ ଯୋଜନା ସଂପର୍କିତ ତାଲିକା ଉପସ୍ଥାପନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟସିଂହ ଯୋଗ ଦେଇ ବିଗତ ଦିନମାନଙ୍କରେ ବିଦ୍ୟାଳୟର ଶିକ୍ଷା, ସମାଜସେବା, ସାମାଜିକ ସଚେତନତା, କଳା ନୈପୁଣ୍ୟତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠାପରତା ଆଦିର ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ବଳରେ ପ୍ରତିଷ୍ଠିତ ହୋଇ ଅନୁଷ୍ଠାନର ଓ ଅଞ୍ଚଳର ସୁନାମ ଆଣିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ବ୍ଲକ୍ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଯୋଗଦାନ କରିଥିଲେ । ବିଦ୍ୟାଳୟର ସଭାପତି ତଥା ବାଳିକା ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁଚରଣ ପାତ୍ର, ଜାତୀୟ ଶିକ୍ଷାନୀତି ୨୦୨୦ର ସଫଳ ରୂପାୟନ ଦିଗରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଓ ବିଦ୍ୟାଳୟର ଶିକ୍ଷଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଦିଲ୍ଲୀପ କୁମାର ବରାଳ ଅତିଥିମାନଙ୍କ ଯୋଗଦାନ ଶିକ୍ଷକଶିକ୍ଷୟିତ୍ରୀଙ୍କ ତ୍ୟାଗପୂର୍ଣ୍ଣ କର୍ମ ସଂପାଦନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ବିଗତ ବୋର୍ଡ ପରୀକ୍ଷାରେ ଅନୁଷ୍ଠାନ ପାଇଁ ସୁନାମ ଆଣିଥିବା ଦଶମ ଶ୍ରେଣୀର ଅନନ୍ୟାଶ୍ରୀ ଦାସ, ଆଦ୍ୟାଶା ମହାନ୍ତି, ଅନନ୍ୟା ସ୍ୱାଇଁ, ପ୍ରୀତିଶା ପ୍ରିୟଦର୍ଶିନୀ ରାଉତ, ପ୍ରୀତିପ୍ରିୟଦର୍ଶିନୀ ସାହୁ, ସଂଜିବ ପାଲ, ନିହାରୀକା ରାଉଳ, ଏସ୍. ପ୍ରତୁ୍ୟଷ ପ୍ରଧାନ, ହିମାଂଶୁ ଶେଖର ସାହୁ, ଅବଦୁଲ କାଦିର ଖାଁ, ନିହାର ରଂଜନ ସ୍ୱାଇଁ, ଆଲୋକ ରଂଜନ ମଲ୍ଲିକ, ତଥା ଦ୍ୱାଦଶ ବୋର୍ଡ ପାଇଁ ସୁମିତ୍ କୁମାର ସାହୁ, ଶ୍ରୀମନ୍ତ ମହାପାତ୍ର, ତୟବା ଆମ୍ରିନ୍, ପ୍ରିୟମ୍ବଦା ଚୌଧୁରୀ, ସୌମ୍ୟରଂଜନ ମହାନ୍ତି ପ୍ରମୁଖ ଶିକ୍ଷାର୍ଥୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୀଳମାଧବ ନାଟକ, ବାବୁରାଓ କମେଡି, ବନେ୍ଦ ମାତରମ୍ ଓ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କର ମନ ମୋହିଥିଲା ।