ସିଏମ୍ ଟ୍ରଫି ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର : ସିଏମ୍ ଟ୍ରଫି-୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ । ରାଜ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍ସିପ୍-୨୦୨୫ ଆୟୋଜନ କରାଯାଉଛି । ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସିଏମ୍ ଟ୍ରଫି ଫୁଟବଲ ଚାମ୍ପିୟନ୍ସିପ୍-୨୦୨୫ର ଲୋଗୋ, ଟ୍ରଫି, ଜର୍ସି ଏବଂ ଆନ୍ଥେମ୍କୁ ଉନ୍ମୋଚନ କରିଛନ୍ତି ।
ଏ ଅବସରରେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଓ କ୍ରୀଡ଼ା ପ୍ରତିଭାଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍ ଚାମ୍ପିୟନ୍ସିପ୍ର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରୀ ୧୬ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାମାନଙ୍କରେ ରହିଥିବା ବିଭିନ୍ନ ଫୁଟବଲ କ୍ଲବ ଅଂଶଗ୍ରହଣ କରିଥିଲେ । ସର୍ବମୋଟ୍ ୨୭୧ଟି ଫୁଟବଲ୍ କ୍ଲବ ଏବଂ ୫ ହଜାରରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜୋନାଲ୍ସ୍ତରୀୟ ସିଏମ୍ ଟ୍ରଫି ଚାମ୍ପିୟନ୍ସିପ୍ ଆସନ୍ତା ମେ' ୨୮ ତାରିଖରୁ ଜୁନ୍ ୫ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ଫୁଟବଲ୍ ଆସୋସିଏସନର ସେକ୍ରେଟାରୀ ଆଶୀର୍ବାଦ ବେହେରା, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭାସ୍କର ଶର୍ମା, ନିଦେ୍ର୍ଦଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।