ସୀମା ଜଗିବେ ‘ରୁଦ୍ର’ ଓ ‘ଭୈରବ’
ନୂଆଦିଲ୍ଲୀ: ଗୋଟିଏ ପଟେ ପାକିସ୍ତାନ, ଆଉ ଗୋଟେ ପଟେ ଚୀନ୍ ପଟୁ ବିପଦର ଆଶଙ୍କା ରହିଛି । ତେଣୁ ସୀମାନ୍ତରେ ଏବେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯିବ । ଏଥିପାଇଁ ନୂତନ ଭାବେ ରୁଦ୍ର ବ୍ରିଗେଡ଼ ଓ ଭୈରବ ବାଟାଲିୟନ୍ ଗଢ଼ାଯାଇଛି । କାରଗିଲ୍ ଦିବସ ଅବସରରେ ଆର୍ମି ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଏନେଇ ଘୋଷଣା କରିଛନ୍ତି ।
ରୁଦ୍ର ବି୍ରଗେଡ଼ ବେଶ୍ ଶକ୍ତିଶାଳୀ ହେବ । ଏଥିରେ ପଦାତିକ ବାହିନୀ ସହ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ବି ରହିବେ । ଏହାଛଡ଼ା ସ୍ୱତନ୍ତ୍ର ଫୋର୍ସ, ଆର୍ଟିଲାରୀ ଓ ଶକ୍ତିଶାଳୀ ଡ୍ରୋନ୍ ବି ରହିବ । ସୀମାନ୍ତରେ ମୁତୟନ ହୋଇଥିବା ଆର୍ମିର ଦୁଇ ବ୍ରିଗେଡ଼କୁ ‘ରୁଦ୍ର’ରେ ରୂପାନ୍ତରିତ କରାଯାଇଛି । ଯେଉଁମାନଙ୍କୁ ସ୍ୱତନ୍ତ୍ର ସହାୟତାମାନ ଯୋଗାଇ ଦିଆଯିବ ।
ଅପରପକ୍ଷରେ ସୀମାନ୍ତରେ ଶତ୍ରୁଙ୍କୁ ଜବାବ ଦେବା ପାଇଁ ଭୈରବ ଲାଇଟ୍ କମାଣ୍ଡୋ ବାଟାଲିୟନ୍ ଗଢ଼ାଯାଇଛି । ଏହି ବାଟାଲିୟନରେ ଡ୍ରୋନ୍ ପ୍ଳାଟୁନ୍, ଦିବ୍ୟାସ୍ତ୍ର ବ୍ୟାଟେରୀ, ଆର୍ମି ଏୟାର ଡିଫେନ୍ସ ବ୍ୟବସ୍ଥା ସହ ମିସାଇଲ୍ ବି ସାମିଲ ହେବ । ସେହିପରି ସୀମାନ୍ତକୁ ଯାତାୟତର ସୁବିଧା ପାଇଁ ସ୍ୱତନ୍ତ୍ର ଭାବେ ରାସ୍ତା ଓ ଭିତ୍ତିଭୂମିର ବି ବ୍ୟବସ୍ଥା କରାଯାଉଛି । ସେହିସବୁ ସ୍ଥାନରେ ଯୁଦ୍ଧ ଓ ଦୁଃସାହସିକ ପର୍ଯ୍ୟଟନର ବି ବିକାଶ କରାଯିବ । ୧୯୯୯ କାରଗିଲ ଯୁଦ୍ଧର ବିଜୟ ପାଇଁ ପ୍ରତ୍ୟେକ ବର୍ଷ କାରଗିଲ୍ ଦିବସ ପାଳନ କରାଯାଉଛି । ଏହି ଅବସରରେ ସେ ଭାରତ ପ୍ରତିରକ୍ଷା ବ୍ୟବସ୍ଥା କିଭଳି ସୁଦୃଢ଼ ହୋଇଛି ସେନେଇ ଆଲୋକପାତ କରିବା ସହ ଆଗାମୀ ଦିନରେ ଶତ୍ରୁଙ୍କ ମୁକାବିଲା ପାଇଁ ସେନାବାହିନୀ ଆହୁରି ସଶକ୍ତ ହେବବୋଲି କହିଥିଲେ ।...