ସୁକିନ୍ଦାରେ ଏମିତି ଚାଲିଛି ଶୈଶବ ବିକାଶ: ୧୦ ବର୍ଷ ହେବ ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିନି କର୍ମୀଙ୍କ ପାଦ

 ଯାଜପୁର: ପ୍ରାକ୍ ଶୈଶବର ବିକାଶ ସହ ଛୋଟ ବେଳୁ ଶିଶୁଙ୍କୁ ସ୍କୁଲମୁହାଁ କରିବା ଲକ୍ଷ୍ୟରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବା ଆଇସିଡ଼ିଏସ ଯୋଜନା କାର୍ଯ୍ୟ କରୁଛି । ପଞ୍ଚାୟତ ସ୍ତରରେ ଖୋଲା ଯାଇଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଖାଇବା ଠାରୁ ଆରମ୍ଭ କରି ଖେଳନା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି ଶୈଶବ ବିକାଶ ପାଇଁ । 
ଆଇସିଡ଼ିଏସ ଯୋଜନା ଫଳବ୍ରତି କରିବାକୁ  ଅଙ୍ଗନବାଡ଼ି କେନ୍ଦ୍ରମାନ ନିର୍ମାଣ ସହ କର୍ମୀ ଏବଂ ସହାୟିକା ନିଯୁକ୍ତ କରିଛନ୍ତି । ଯାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୈଶବ ବିକାଶ ଲକ୍ଷ୍ୟ ରଖାଯାଇଥିବା ବେଳେ ସୁକିନ୍ଦା ବ୍ଲକରେ କିନ୍ତୁ ଏହା ବିପରିତ ଦିଗରେ ଚାଲିଛି । ବ୍ଲକର ନିର୍ଦ୍ଧିଷ୍ଟ କିଛି କେନ୍ଦ୍ରକୁ ବର୍ଷବର୍ଷ ଧରି କର୍ମୀ ଆସୁନଥିବା ବେଳେ ଏନେଇ ବିଭିନ୍ନ ଫୋରମରେ ଅଭିଯୋଗ ପରେବି ଅଧିକାରୀ ତତ୍ପରତା ଦେଖାଇବା ବଦଳରେ ହାତବାନ୍ଧି ବସିଛନ୍ତି । ଯେଉଁ ଅଭିଯୋଗଟି ଆସିଛି ଯଦି ସତ ହୋଇଥାଏ ତେବେ ସାଂଘାତିକ ବୋଲି କୁହାଯାଇ ପାରେ, ହେଲେ ଚଳିତ ମାସ ୨୧ ତାରିଖ ଏସଂପର୍କରେ ସିଭିଲ ସୋସାଇଟି ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି କି ବ୍ଲକ ଅନ୍ତର୍ଗତ ମୂଳଖମ୍ବ, କାଟେଣୀ ଏବଂ ଗରାମିଅାଁ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଦୀର୍ଘ ୧୦ବର୍ଷ ଧରି କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ଅତଏବ ଉପରୋକ୍ତ କେନ୍ଦ୍ରର କର୍ମୀଙ୍କ ପାଦ ୧୦ବର୍ଷ ହେଲା ପଡ଼ିନି । ସଂପୃକ୍ତ ଅଭିଯୋଗ ଉପରେ ଜିଲାପାଳ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହାତ ସମୟ କହିବ, ହେଲେ ପୂର୍ବରୁ ଏଭଳି ଅଭିଯୋଗ ହୋଇଆସିଥିଲେ ହେଁ ସିଡ଼ିପିଓ ଏବଂ ଉପଜିଲାପାଳ ଚାପି ବସିଛନ୍ତି । ଏମାନଙ୍କ ଭୂମିକା ସନେ୍ଦହ ଘେରରେ ବୋଲି ଅଭିଯୋଗ ଆଣି ସିଭିଲ ସୋସାଇଟ ପକ୍ଷରୁ କୋମଳମତି ଶିଶୁ ମାନଙ୍କ ବିକାଶ କିପରି ଚାଲିଥିବ ତାହାକୁ ନେଇ ପ୍ରଶ୍ନ ଉଠାଯାଇଛି । ଯାହାକୁ ନେଇ ସମନ୍ୱିତ ଶିଶୁ ବିକାଶ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ  ସୁକିନ୍ଦାରେ ଶୈଶବ ବିକାଶର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ବୋଲି ସିଭିଲ ସୋସାଇଟର ବିଶ୍ୱନାଥ ପାତ୍ର, କ୍ଷୀରଦ ଦାସ, ବୁଲୁ ଯାଦବ, ସହଦେବ ଜେନା ପ୍ରମୁଖ କହିଛନ୍ତି । ସୂଚନାଯୋଗ୍ୟ ଯାଜପୁର ଜିଲା ସୁକିନ୍ଦା ବ୍ଲକ ବଉଳପାଳ ଗାଁର ମୂଳଖମ୍ବ ଅଙ୍ଗନବାଡି କେନ୍ଦ୍ରରେ ନିୟୋଜିତ କର୍ମୀ କାମିନୀ ପାତ୍ର, କାଙ୍କଡ଼ପାଳ ପଞ୍ଚାୟତ କାଟେଣୀ ଗାଁରେ ଥିବା କାଟେଣୀ ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦଶ ବର୍ଷ ଧରି ଅଙ୍ଗନବାଡ଼ି କର୍ମି ଭାବେ ନିୟୋଜିତ ହୋଇଥିବା ସୁଲେଖା ମହାନ୍ତ ପାଦ ପକେଇନାହାନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସୁକିନ୍ଦା ପକ୍ଷରୁ ଜାରି ହୋଇଥିବା ନୋଟିସ ଏହା କହୁଛି । କାଟେଣୀ ଅଙ୍ଗନବାଡ଼ି କର୍ମୀ ଚାକିରିରେ ଯୋଗ ଦେଉନାହାନ୍ତି କି ପଦବୀ ଛାଡୁନଥିବା ଅଭିଯୋଗ ହେଉଛି । ଫଳରେ ପନାଶିଆ, ରଗଦାରେ ନିୟୋଜିତ କର୍ମୀ ରନôପ୍ରଭା ଚଢା କେନ୍ଦ୍ରକୁ ଚଳାଉଥିବା ଜଣାପଡିଛି । ଯାହାକୁ ନେଇ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି । ଦଶ ବର୍ଷ ଧରି କାର୍ଯ୍ୟ କରୁନଥିବାରୁ ଉକ୍ତ ଅଙ୍ଗନବାଡ଼ି ପରିଚାଳନାରେ ବହୁତ ଅସୁବିଧା ହେଉଥିବା ସମ୍ପର୍କରେ ଦର୍ଶାଯାଇଛି । ସେହିପରି ପ୍ରି-ସ୍କୁଲ କାର୍ଯ୍ୟକ୍ରମ ହୋଇପାରୁନଥିବା ବେଳେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଥିବା ବେଳେ ଜଣେ ଅଙ୍ଗନବାଡ଼ି କର୍ମୀ ଦୁଇଟି କେନ୍ଦ୍ର ପରିଚାଳନା କରିବା ସମ୍ଭବହେଉଥିବା ଦର୍ଶାଇ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସୁକିନ୍ଦା ପତ୍ର ସଂଖ୍ୟା ୫୪୧ତା ୯ା୭ା୨୦୨୪ କହୁଛି । ସିଡ଼ିପିଓ କାଟେଣୀ, ଗରାମିଆଁ, ମୂଳଖମ୍ବ ଅଙ୍ଗନବାଡ଼ି କର୍ମୀଙ୍କୁ ନୋଟିସ ଦେଇଥିବା ସୂଚନା ହସ୍ତଗତ ହୋଇଛି । ଉକ୍ତ ନୋଟିସର ଏକକିତ ନକଲ ଉପଜିଲାପାଳ ଯାଜପୁରଙ୍କ ସହ ସମାଜକଲ୍ୟାଣ ଅଧିକାରିଣୀ ଯାଜପୁରଙ୍କୁ ମଧ୍ୟ ଅବଗତି କରାଯାଇଛି । କିନ୍ତୁ କାଟେଣୀ, ଗରାମିଆଁ, ମୂଳଖମ୍ବ ଅଙ୍ଗନବାଡ଼ି କର୍ମୀ କାର୍ଯ୍ୟରେ ଯୋଗଦେଉନାହାନ୍ତି । ନୋଟିସ ପାଇବା ପରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କିନ୍ତୁ ପଦବୀ ଛାଡିବାକୁ ଅମଙ୍ଗ ହୋଇ ବିଭିନ୍ନ ଆଳ ଦେଖାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ଆଦିବାସୀ ବହୁଳ ଅଞ୍ଚଳରେ ଶୈଶ ବିକାଶ  ଆଣ୍ଠେଇଥିବା ପରିଲଖିତ ହୋଇଛି । ବିକାଶର ଆଢୁଆଳରେ ନିରିହ ଆଦିବାସୀ ଶିଶୁଙ୍କ ଭବିଷ୍ୟତ ସରକାରଙ୍କ ନିଷ୍ପତିରେ ଛନ୍ଦି ହୋଇଯାଇଛି । ସୁକିନ୍ଦା ବ୍ଲକ ସିଡିପିଓ ନୋଟିସ ଦେଇ ଦାୟିତ୍ୱ ସାରିଦେଇଥିବା ବେଳେ ଉପ ଜିଲାପାଳଙ୍କ ପଦକ୍ଷେପ ମଧ୍ୟ ଫାଇଲ ତଳେ ଚପି ଯାଇଛି ।  ସରକାର ଶିଶୁମାନଙ୍କ ବିକାଶ ପାଇଁ କେତେ ତତ୍ପର ତାହା ଉପରୋକ୍ତ ତିନଟି ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥିତି ପ୍ରମାଣିତ କରୁଛି । ସିଡିପିଓ, ସମାଜ କଲ୍ୟାଣ ବିଭାଗ, ଉପଜିଲାପାଳ ଏବଂ ସର୍ବୋପରି ଜିଲାପାଳ ଶୈଶବମାନଙ୍କ ବିକାଶ ପାଇଁ ଅବିଳମ୍ବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଶ ବର୍ଷ ହେବ କାର୍ଯ୍ୟରେ ଯୋଗ ଦେଇନଥିବା କର୍ମୀଙ୍କୁ ନିଲମ୍ବିତ କରିବା ସହ ସ୍ଥାୟୀ କର୍ମି ନିଯୁକ୍ତ କରିବାକୁ ସିଭିଲ ସୋସାଇଟି ପକ୍ଷରୁ ଜିଲାପାଳଙ୍କୁ ଦାବି କରାଯାଇଛି ।