ସରୁନି ନିର୍ମାଣାଧୀନ ଗୃହ କାର୍ଯ୍ୟ : ଭଡ଼ା ଘରେ ଚାଲିଛି ୧୨୭ ଅଙ୍ଗନବାଡ଼ି କେନ୍ଦ୍ର

ବିଞ୍ଝାରପୁର: ତିନିରୁ ଛ ବର୍ଷ ଶିଶୁମାନଙ୍କର ବୌଦ୍ଧିକ ଏବଂ ଶାରିରୀକ ବିକାଶ ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାପନ କରିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି କର୍ମୀ ଏବଂ ସହାୟିକାମାନଙ୍କୁ ନିଯୁକ୍ତ କରାଯାଉଛି । କିନ୍ତୁ ବିଞ୍ଝାରପୁର ବ୍ଲକରେ ସରକାରଙ୍କ ଏହି ଲକ୍ଷ ପାଲଟିଛି ପ୍ରହସନ । କାରଣ ଏଠି ଭଡ଼ା ଘରେ, କମୁ୍ୟନିଟି ସେଣ୍ଟର୍ ଏବଂ ସ୍କୁଲ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ମିଳିଥିବା ତଥ୍ୟ ଅନୁଯାୟୀ ବିଞ୍ଝାରପୁରରେ ୨୯୫ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ତନ୍ମଧ୍ୟରୁ ୧୬୮ଟିର ନିଜସ୍ୱ ଗୃହରେ ଚାଲିଛି । ୨୪ଟି କେନ୍ଦ୍ର ଭଡ଼ା ଘରେ ଚାଲିଥିବା ବେଳେ ୭୬ଟି କେନ୍ଦ୍ର ସ୍କୁଲ ବିଲଡିଂରେ ଚାଲିଛି ଆଉ ୨୭ଟି କେନ୍ଦ୍ର ଅନ୍ୟାନ୍ୟ କମୁ୍ୟନିଟି ଗୃହରେ ଚାଲିଛି । ଅଙ୍ଗନବାଡି କେନ୍ଦ୍ରର ଅବ୍ୟବସ୍ଥା କେବଳ ଏତିକିରେ ସରିନି । ୨୦୧୧-୨୦୧୨ ରୁ ୨୦୧୭-୨୦୧୮ମଧ୍ୟରେ ଆରମ୍ଭ ହୋଇଥିବା ୩୯ଟି କେନ୍ଦ୍ରର ନିଜସ୍ୱ ଗୃହ ଏବେବି ନିର୍ମାଣାଧୀନ ଅଛି । ତେବେ ନିର୍ମାଣାଧୀନ ଥିବା ଏହି ଗୃହ କେବେ ସରୁଛି ତାକୁ ନେଇ କୌଣସି ନିଷ୍କର୍ଷ ବାହାରିପାରୁ ନାହିଁ । ସରକାର ଯେତେ ବେଳେ ଶିଶୁମାନଙ୍କୁ ପୃଷ୍ଟି ସାର୍ ଖାଦ୍ୟ ଯୋଗାଇ ଶୈକ୍ଷିକ ପରିବେଶର ବିକାଶ ହେଉଥିବା କଥା କହୁଛନ୍ତି ସେତେ ବେଳେ ବିଞ୍ଝାରପୁରରେ ଅଙ୍ଗନବାଡି କେନ୍ଦ୍ର ମାନଙ୍କର ଏଭଳିଚିତ୍ର କିଛି ଭିନ୍ନ କଥା ଦର୍ଶାଉଛି । ତେବେ ମୋହନ ସରକାରଙ୍କ ଶାସନରେ ଅବ୍ୟବସ୍ଥାର ଏଚିତ୍ର ବଦଳୁଛି ନା ନାହିଁ ତାହା ଦେଖିବାର ଅଛି ।