ସୁଧୁରୁନି ଟ୍ରାଫିକ୍ ସମସ୍ୟା

 ସାଲେପୁର: ସାଲେପୁରରେ ଭାରି ଯାନ ଚଳାଚଳ ଉପରେ ପୁଲିସ ପକ୍ଷରୁ ଯାଞ୍ଚ ଜୋରଦାର ହୋଇଥିବାବେଳେ ଖାଲି ଆଇରନ୍ ଗାଡ଼ିକୁ ଛାଡିଦେଲେ ଅନ୍ୟାନ୍ୟ ଭାରିଯାନ ଉପରେ କୌଣସି କଟକଣା ଲଗାଯାଉନଥିବାରୁ ସାଲେପୁରରେ ଟ୍ରାଫିକ୍ ସମସ୍ୟା ଯଥା ପୂର୍ବଂ ତଥା ପରଂ ପରିସ୍ଥିତି ସୃଷ୍ଟି ହୋଇଛି । ସାଲେପୁର ଟ୍ରାଫିକ୍ ସମସ୍ୟା ଓ କଟକ-ଚାନ୍ଦବାଲି ରାସ୍ତାର ଜଗତପୁରରୁ ନିଶ୍ଚିନ୍ତକୋଇଲି ମଧ୍ୟରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ହେଉଥିବାରୁ ଏହାକୁ ଆଖିଆଗରେ ରଖି କଟକ ଜିଲ୍ଲାପାଳ ଚଳିତ ମାସ ୨୨ତାରିଖ ଠାରୁ ଫେବୃୟାରୀ ମାସ ୨୧ତାରିଖ ପର୍ଯ୍ୟନ୍ତ ଆଇରନ୍ ଟ୍ରକ୍ ଯାତାୟତ ଉପରେ ରୋକ୍ ଲଗାଇଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ଆଜି ଠାରୁ ଖାଲି ଆଇରନ୍ ଟ୍ରକ୍କୁ ଏହି ରାସ୍ତା ଦେଇ ଯାତାୟତ କରିବାକୁ ରୋକା ଯାଉଥିବାବେଳେ ଅନ୍ୟ ଭାରୀଯାନ ଗୁଡ଼ିକ ଏହି ରାସ୍ତା ଉପରେ ଯାତାୟତ କରୁଛି । ଫଳରେ ଜିଲ୍ଲାପାଳ ଯେଉଁ ଉଦେ୍ଦଶ୍ୟ ରଖି ଏହି ନିର୍ଦେଶନାମା ଜାରି କରିଛନ୍ତି, ତାହା ଆଂଶିକ ଭାବେ ଫଳପ୍ରଦ ହେଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ରାସ୍ତାର ଉଭୟ ପାଶ୍ୱର୍ରେ ଉଠା ବ୍ୟବସାୟୀ ଠାରୁ ଆରମ୍ଭ କରି ବହୁ ସ୍ଥାୟୀ ବ୍ୟବସାୟୀ ଜବରଦଖଲ କରି ନିଜର ବ୍ୟବସାୟ ପ୍ରତିଷ୍ଠାନ ଚଳାଇଥିବାବେଳେ ଗ୍ରାହକମାନେ ରାସ୍ତା ମଝିରେ ଗାଡ଼ି ରଖି ବ୍ୟବସାୟ ପ୍ରତିଷ୍ଠାନକୁ ବିଭିନ୍ନ ସାମଗ୍ରୀ କ୍ରୟ କରିବାକୁ ଯାଉଛନ୍ତି । ଅପରପକ୍ଷରେ ହାଇୱା ଠାରୁ ଆରମ୍ଭ କରି ବହୁ ମାଲବାହୀ ଗାଡ଼ି ଏହି ରାସ୍ତାଦେଇ ଯାତାୟତ କରୁଥିବାରୁ ପୂର୍ବଭଳି ଟ୍ରାଫିକ୍ ସମସ୍ୟା ଆଜି ମଧ୍ୟ ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଖାଲି ଆଇରନ୍ ଟ୍ରକ୍କୁ ରୋକ୍ ଲଗାନଯାଇ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ହାଇୱା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଭାରୀଯାନ ଚଳାଚଳ ପାଇଁ ଅନୁମତି ଦେଇ ଅନ୍ୟ ସମୟରେ କଟକଣାକୁ କଡ଼ାକଡ଼ି କଲେ ସାଲେପୁର ସହରର ଟ୍ରାଫିକ୍ ସମସ୍ୟା ସୁଧୁରିବା ସହିତ ଏହି ରାସ୍ତାରେ ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ବହୁ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।