ବ୍ଲକ୍ ଦୁର୍ନୀତିର ତଦନ୍ତ ଦାବି: ପୂର୍ବତନ ବିଧାୟକଙ୍କ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ସାଲେପୁର: ସାଲେପୁର ବ୍ଲକ୍ରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଅର୍ଥ ହରିଲୁଟ୍ ଏବଂ ନିଯୁକ୍ତିରେ ପ୍ରିୟାପ୍ରୀତି ନୀତି ସମେତ ୧୪ଦଫା ଦାବି ନେଇ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଯଦି ୧୫ଦିନ ମଧ୍ୟରେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସାଲେପୁର ବ୍ଲକ୍କୁ ଅଚଳ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ପ୍ରକାଶ ବେହେରା ଗତ ନିର୍ବାଚନରେ ବିଜେଡି ଦଳରେ ସାମିଲ ହୋଇ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ । ଏବଂ କିଛିଦିନ ନିରବ ରହିବା ପରେ ହଠାତ୍ ବିଜେଡି ଦଳରୁ ଇସ୍ତଫା ଦେବା ସହ ନିଜର କର୍ମଭୂମି ସାଲେପୁରକୁ ଫେରି ଲୋକମାନଙ୍କ ସହ ସାମିଲ ହେବା, ଲୋକମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝୁଥିବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ଉକ୍ତ ସମୟରେ ପ୍ରକାଶ ପୁଣି ବିଜେପିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ପୂର୍ବତନ ବିଧାୟକ ପ୍ରକାଶ ବେହେରା ନିଜର ଶହଶହ ସଂଖ୍ୟକ ସମର୍ଥକମାନଙ୍କୁ ଧରି ଏକ ମୋଟର ସାଇକେଲ୍ ଶୋଭାଯାତ୍ରାରେ ବାହାରି ସାଲେପୁର ବ୍ଲକ୍ରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରି ୧୪ଦଫା ଦାବିପତ୍ର ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ସାଲେପୁର ବ୍ଲକ୍ର ମିଶନ୍ ଶକ୍ତି ବ୍ଲକ୍ ଲେବୁଲ ଫେଡେରେଶନ୍ର ପ୍ରାପ୍ତ ଅନୁଦାନ ସଂପୂର୍ଣ୍ଣ ଭାବେ ବିଏଲ୍ଏଫ୍ ସଭାପତି ଓ ସଂପାଦିକା ହଡ଼ପ କରିବା, ବ୍ଲକ୍ର ସିଆରପି, ଏମ୍ବିକେ, ପାଣିମିତ୍ର, ବ୍ୟାଙ୍କ୍ ମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା, ଦୀର୍ଘ ଦେଢ଼ବର୍ଷ ଧରି କେଉଁ ଆଧାରରେ ଜଣେ ଅତିରିକ୍ତ ବିଡ଼ିଓଙ୍କୁ ବିଡ଼ିଓର କ୍ଷମତା ଦିଆଯାଇଥିଲା ତାହାର ତଦନ୍ତ ସମେତ ୧୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ୧୫ଦିନ ମଧ୍ୟରେ ଏହି ଘଟଣାର ଜିଲ୍ଲାପାଳଙ୍କ ଦ୍ୱାରା ତଦନ୍ତ କରାନଯାଏ, ତେବେ ସାଲେପୁର ବ୍ଲକ୍କୁ ଅଚଳ କରିଦିଆଯିବ ବୋଲି ପୂର୍ବତନ ବିଧାୟକ ପ୍ରକାଶ ବେହେରା ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଦୀର୍ଘଦିନ ଧରି ନିଜର କର୍ମଭୂମି ସାଲେପୁରକୁ ଭୂଲିଯାଇଥିବା ପ୍ରକାଶ ବେହେରା ହଠାତ୍ ଆଜି ନିଜର ସମର୍ଥକ ଓ ବହୁ ଲୋକପ୍ରତିନିଧି ମାନଙ୍କୁ ଧରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚô ନିଜର ଶକ୍ତି ପ୍ରଦର୍ଶନ କରିବା ଘଟଣା ଏବେ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।