ସୁଧୁରୁନି ଡ୍ରେନ୍ଜେ ବ୍ୟବସ୍ଥା  : ଅସରାଏ ବର୍ଷାରେ ବେହାଲ ସହର

ନବରଙ୍ଗପୁର : ବର୍ଷ ବର୍ଷ ଧରି ସହରର ଡ୍ରେନେଜ୍ ବ୍ୟବସ୍ଥା ସୁଧୁରିପାରୁନି । ଏଥିପାଇଁ ବର୍ଷା ଋତୁରେ ଅଧାସହର ଜଳମଗ୍ନ ହୋଇ ପଡୁଛି । କେଉଁଠି ନାଳ ପୋତି ହୋଇଥିବା ବେଳେ ଆଉ କେଉଁଠି ନାଳ ନାହିଁ । ନବରଙ୍ଗପୁରରେ ଏନ୍ଏସି ପରେ ପୌରପାଳିକା ଗଠନ ହୋଇ ଦୀର୍ଘବର୍ଷ ବିତିଗଲାଣି । ଦିନକୁ ଦିନ ଜନସଂଖ୍ୟା ବଢୁଛି । ଗ୍ରାମାଞ୍ଚଳ ମଧ୍ୟ ସହର ଭିତରକୁ ପଶି ଆସିଲାଣି । ସହରରେ ଡ୍ରେନେଜ୍ ବ୍ୟବସ୍ଥା ପାଇଁ କୌଣସି ମାଷ୍ଟରପ୍ଲାନ୍ ନ ହେବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ କହିଛନ୍ତି । ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ନବରଙ୍ଗପୁରରେ ଏନ୍ଏସି ପରେ ପୌର ସଂସ୍ଥା ଗଠନ ହୋଇଛି । ସଂସ୍ଥା ଗଠନକୁ ୭୧ ବର୍ଷ ହେଲାଣି । ଅନେକ ସରକାର ବଦଳିଲେଣି । ବିଧାୟକ, ପୌରାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ ପଦରେ ଅନେକ ନେତା ଲୋକଙ୍କ ଭୋଟ ନେଇ କ୍ଷମତା ଉପଭୋଗ କରିଛନ୍ତି । କିନ୍ତୁ ଦିନେ ହେଲେ ସହରର ଡ୍ରେନେଜ୍  ବ୍ୟବସ୍ଥା ଲାଗି ଦୀର୍ଘ ମିଆଦି ଯୋଜନା ପ୍ରତି ଗୁରୁତ୍ୱ ଦେଇନାହାନ୍ତି । ୧୭ଟି ୱାର୍ଡକୁ ନେଇ ଗଠିତ ପୌରପାଳିକାର ବିଭିନ୍ନ ସାହି ଓ ଗଳିକନ୍ଦିକୁ ମିଶାଇ ଭାଗ ଭାଗ ହୋଇ ଡ୍ରେନେଜ୍ ବ୍ୟବସ୍ଥା ରହିଛି । ଅଥଚ ବର୍ଷା ଜଳ କିମ୍ବା ଦୂଷିତଜଳ ନିଷ୍କାସନ ପାଇଁ ଠିକ୍ ଡ୍ରେନ୍୍ ବ୍ୟବସ୍ଥା ନାହିଁ  । ମନଇଚ୍ଛା ତିଆରି ହୋଇଥିବା କେତେକ ନାଳ ଭିତରେ ମାଟିବାଲି ଜମି ପୋତି ହୋଇଗଲାଣି  । ଆଉ କେଉଁଠି ନାଳ ପାଣି ରାସ୍ତା ଉପରେ ଚାଲୁଛି । ଏଭଳିକି ମଦର ଡ୍ରେନ୍ର ପାଣି ଅଟକି ରହୁଛି । କଛି ଅଞ୍ଚଳରେ ଆଦୌ ଡ୍ରେନ୍ ବ୍ୟବସ୍ଥା ନାହିଁ  । ସହର ସମେତ ଗ୍ରାମାଞ୍ଚଳରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରହିଛି । ଜିଲ୍ଲାପାଳ ଅଫିସ, ଏସପି  ଅଫିସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଏକାଧିକ ସରକାରୀ ଦପ୍ତର ଗ୍ରାମାଞ୍ଚଳରେ ରହିଥିବାରୁ ଏହାର ସଫାସୁତରା କାର୍ଯ୍ୟ ଗ୍ରାମାଞ୍ଚଳ କରିବା କଥା । ହେଲେ ପୌରପାଳିକା ଉପରେ ଏହାର ଦାୟିତ୍ୱ ପଡୁଛି  । ସେଭଳି ଏସବୁ ଅଞ୍ଚଳରେ ଗଢି ଉଠିଥିବା ଜନବସତି, ବ୍ୟବସାୟିକ ଅନୁଷ୍ଠାନ, ହୋଟେଲଗୁଡିକ ପୌରପାଳିକାକୁ କୌଣସି ହୋଲ୍ଡିଂ ଟିକସ ଦେଉ ନାହାନ୍ତି । ଗ୍ରାମାଞ୍ଚଳରେ ରହି ମଧ୍ୟ ପୌରପାଳିକାର ଷ୍ଟ୍ରିଟ୍ଲାଇଟ୍ ସେବା ଓ ପରିମଳ ସେବାର ଲାଭ ଉଠାଉଛନ୍ତି । ପୌରପାଳିକା ଅଞ୍ଚଳ ବଢିଥିଲେ ମଧ୍ୟ ବାସ୍ତବରେ କାଗଜପତ୍ରରେ ଗ୍ରାମାଞ୍ଚଳରେ ରହିଯାଇଛି । ଏନେଇ ପୌରାଧ୍ୟକ୍ଷ କୁନୁ ନାୟକଙ୍କୁ ପଚାରିବାରୁ ସହରର ମଦର ୍ଡ୍ରେନ୍୍ ସମେତ ଅନ୍ୟ ନାଳଗୁଡିକରୁ ଦୂଷିତ ଜଳ ନିଷ୍କାସନ ପାଇଁ ୪୭ଟି ଆଉଲେଟ୍ ଓ ୭୩ କିମି ନାଳ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଡିପିଆର ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ସରକାରଙ୍କ ମଞ୍ଜୁରି ମିଳିବା ପରେ ନିଶ୍ଚିତ ଭାବେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସିବା ବୋଲି କହିଛନ୍ତି ।