ଧାନ ମଣ୍ଡିରେ ଦୁର୍ନୀତି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

 ନବରଙ୍ଗପୁର : ଜିଲ୍ଲାର ଚାରୋଟି ଲ୍ୟାମ୍ପର ଧାନ ମଣ୍ଡିରେ ଦୁର୍ନୀତିର ଅଭିଯୋଗ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଜିଲ୍ଲା ବିଜେଡି ଦାବିପତ୍ର ପ୍ରଦାନ କରିଛି । ନବରଙ୍ଗପୁର ଜିଲ୍ଲାର ରାଇଘର, ପାପଡାହାଣ୍ଡି, ମୈଦଲପୁର, ଓ କୋଡ଼ିଙ୍ଗା ଚାରିଟି ଲ୍ୟାମ୍ପରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଏହି ଲ୍ୟାମ୍ପ୍ର ଏମ୍ଡିମାନେ ମିଲର୍ସଙ୍କ ସହିତ ମଧୁ ଚନ୍ଦ୍ରିକା କରି ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଏହି ଲ୍ୟାମ୍ପରେ ୪୦ ରୁ ୫୦ ପ୍ରତିଶତ ଧାନ କାଗଜ କଲମରେ କିଣା ଯାଉଥିବା ଅଭିଯୋଗ କରିବା ସହିତ ଏମ୍ଡିମାନେ ନିଜ ସମ୍ପର୍କିୟଙ୍କ ନାମରେ ମଣ୍ଡି କାର୍ଡ କରି ଧାନ ବିକ୍ରି କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେଡି । ଧାନ କିଣାର ସବିଶେଷ ତଥ୍ୟ ନେଇ ଆରଟିଆଇ ମାଗିଲେ ଲ୍ୟାମ୍ପ ଗୁଡିକ ଆର୍ଟିଆଇ ଅନ୍ତର୍ଭୁକ୍ତ ନ ଥିବା ଦର୍ଶାଇ ରିପୋର୍ଟ ଦେଉ ନ ଥିବା ଅଭିଯୋଗ କରିଛନ୍ତି  । ଏହି ଦୁର୍ନୀତିରେ କେବଳ ଲ୍ୟାମ୍ପ ଏମ୍ଡି ନୁହନ୍ତି ଆରସିଏସ୍, ଡିଆର୍ସିଏସ୍ ମଧ୍ୟ ଲାଞ୍ଚ ନେଇ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହ ରାଇଘର ବ୍ଲକ୍ର ୩୪୪ ଜଣ ଚାଷୀ ୨ ରୁ ୩ ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ସେମାନଙ୍କ ପ୍ରାପ୍ୟ ପାଇ ନ ଥିବା ବେଳେ, ସେମାନଙ୍କ ପ୍ରାପ୍ୟ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ, ତାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣା ଦିଆଯାଇଥିବା ବେଳେ ଆଗାମୀ ୨୦ ଦିନ ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ବିଜେଡି । ଏଥିସହ ଜିଲ୍ଲାରେ ୨୫ ଲକ୍ଷ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ବେଳେ, ସେ ଧାନ କେଉଁ କେଉଁ ମିଲ୍ରେ ରଖାଯାଇଛି ସେନେଇ ତଦନ୍ତ କରିବା ପାଇଁ ଦାବି ହୋଇଛି । ଏନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝି ଓ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରି ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ, କାଉନସିଲର ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ, ନେତା ସରୋଜ ପାତ୍ର, ନଗର ସଭାପତି ପ୍ରମୋଦ ରଥ, ସଞ୍ଜୟ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।