କଲେଜ ଛାତ୍ରୀ କରିବେ "ସୁଭଦ୍ରା' ସର୍ଭେ 

 ଭୁବନେଶ୍ୱର  : "ସୁଭଦ୍ରା' ସୋସାଇଟି ପରିଚାଳନା ପରିଷଦର ତୃତୀୟ ବୈଠକ ଆଜି ଅପରାହ୍ନରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଆର୍ଏସ୍ ଗୋପାଳନଙ୍କ ସମେତ ସୁଭଦ୍ରା ସୋସାଇଟିର ଅନ୍ୟ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ କମିଟିରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବଜେଟ୍ ବ୍ୟବସ୍ଥା ଅନୁସାରେ ଅଦ୍ୟାବଧି କରାଯାଇଥିବା ଖର୍ଚ୍ଚ ସଂପର୍କରେ ଆଲୋଚନା କରାଯାଇ ଅନୁମୋଦନ କରାଯିବା ସହ ୨୦୨୫-୨୬ ବର୍ଷ ପାଇଁ ଆଗତ ପ୍ରସ୍ତାବକୁ ସମୀକ୍ଷା ପୂର୍ବକ ଅନୁମୋଦନ କରାଯାଇଛି । ସୁଭଦ୍ରା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ ଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା ଓ ବ୍ଲକ୍ସ୍ତରରେ ଏଥିପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ କରାଯାଇଥିବା ଖର୍ଚ୍ଚ ସଂପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ସୁଭଦ୍ରା ସହାୟତା ପାଇଥିବା ହିତାକାରୀଙ୍କ ଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ସୁଭଦ୍ରାର ପ୍ରଭାବ ସଂପର୍କରେ ମୂଲ୍ୟାୟନ କରିବା ପାଇଁ ଆଇଆଇଏମ, ସମ୍ବଲପୁର ସହିତ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।