ପଣ୍ଡିତ ମଦନ ମୋହନ ମାଲବ୍ୟ
ଭାରତର ପ୍ରସିଦ୍ଧ ଶିକ୍ଷାବିତ୍, ରାଜନୀତିଜ୍ଞ ତଥା ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ମଦନ ମୋହନ ମାଲବ୍ୟ । ଦୁଇଥର ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ସେ ସମ୍ଭାଳିଥିଲେ । ତାଙ୍କ ନାମ ପୂର୍ବରୁ ସମ୍ମାନସୂଚକ ପଣ୍ଡିତ ଶବ୍ଦ ବ୍ୟବହାର କରାଯାଏ । ମହାମାନ ଭାବେ ମଧ୍ୟ ସେ ଲୋକପ୍ରିୟ । ୧୮୬୧ ଡିସେମ୍ବର ୨୫ରେ ତାଙ୍କର ଜନ୍ମ । ବନାରସଠାରେ ବନାରସ ହିନ୍ଦୁ ୟୁନିଭର୍ସିଟିର ପ୍ରତିଷ୍ଠାତା ଭାବେ ମାଲବ୍ୟ ଚିରସ୍ମରଣୀୟ । ଏହା ଏସିଆର ସର୍ବବୃହତ୍ ଆବାସିକ ବିଶ୍ୱବିଦ୍ୟାଳୟ ଓ ବିଶ୍ୱର ଅନ୍ୟତମ ସର୍ବବୃହତ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ବିଜ୍ଞାନ, କଳା, ଇଂଜିନିୟରିଂ, ମେଡ଼ିକାଲ, କୃଷି, ପ୍ରଦର୍ଶନ କଳା, ଆଇନ ଓ ବୈଷୟିକ ଆଦି ବିଷୟ ସହିତ ଏଠାରେ ୩୫ ହଜାରରୁ ଅଧିକ ବିଦ୍ୟାର୍ଥୀ ଅଧ୍ୟୟନରତ । ୧୯୧୯-୧୯୩୮ ପର୍ଯ୍ୟନ୍ତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉପକୁଳପତି ଥିଲେ ମାଲବ୍ୟ । ହରିଦ୍ୱାରସ୍ଥ ଗଙ୍ଗା ମହାସଭା ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୧୯୩୪ରେ କଂଗ୍ରେସ ଛାଡ଼ି ସେ ହିନ୍ଦୁ ମହାସଭାର ସଦସ୍ୟ ହୋଇଥିଲେ । ୧୯୨୨ରେ ଗୟା ଏବଂ ୧୯୨୩ରେ କାଶୀ ଠାରେ ଏହାର ସ୍ୱତନ୍ତ୍ର ଅଧିବେଶନର ଅଧ୍ୟକ୍ଷ ପଦ ସେ ସମ୍ଭାଳିଥିଲେ । ଭାରତୀୟ ସ୍କାଉଟିଂର ସେ ଥିଲେ ଅନ୍ୟତମ ପ୍ରତିଷ୍ଠାତା । ତାଙ୍କ ଉଦ୍ୟମରେ ଆହ୍ଲାବାଦରୁ ପ୍ରକାଶ ପାଉଥିଲା ତତ୍କାଳୀନ ପ୍ରଭାବଶାଳୀ ଇଂରାଜୀ ଖବରକାଗଜ ଦ ଲିଡ଼ର । ହିନ୍ଦୁସ୍ତାନ ଟାଇମ୍ସର ଚେୟାର୍ମ୍ୟାନ ପଦରେ ମଧ୍ୟ ସେ ରହିଥିଲେ । ୨୦୧୪ ଡିସେମ୍ବର ୨୪ରେ ମାଲବ୍ୟଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୪୬ ନଭେମ୍ବର ୧୨ତାରିଖ ଦିନ ବାରାଣସୀଠାରେ ତାଙ୍କର ପରଲୋକ ହୋଇଥିଲା ।
ଡ.ଅରୁନ୍ଧତୀ ଦେବୀ,ମୋ : ୯୯୩୭୧୭୨୮୧୦