ସେଲଫି ପାୱାର ଦେଖାଉଥିଲା ‘ଭକ୍ତି’


 ଭୁବନେଶ୍ୱର:  ଖଣି ବ୍ୟବସାୟୀଙ୍କ ମାମଲା ରଫାଦଫା ଘଟଣାରେ ଇଡ଼ି ଅଧିକାରୀ ଓ ମଧ୍ୟସ୍ଥି ଗିରଫ ହେବା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି  । ଇଡ଼ି ଅଧିକାରୀଙ୍କ ଅପେକ୍ଷା ଏବେ ବେଶୀ ଚର୍ଚ୍ଚା ସୃଷ୍ଟିକରିଛି ଯୁବ ଦଲାଲ ଭକ୍ତି ବିନୋଦ ବେହେରା  । ଭକ୍ତିର ଫେସବୁକ୍ ପୋଷ୍ଟ ଦେଖିଲେ ଭକ୍ତିର ଶକ୍ତି କେତେ ତାହା ସ୍ପଷ୍ଟ ଅନୁମେୟ  ।
ମିଳିଥିବା ସୂଚନାନୁସାରେ ଭକ୍ତି ପୂର୍ବରୁ ୟୁପିଏସସି ପରୀକ୍ଷା ପାଇଁ ବି ପ୍ରସ୍ତୁତି ହେଉଥିଲା  । ଏଥିପାଇଁ ସେ କୋଚିଂ ବି ନେଉଥିଲା  । ତା’ର କେତେକ ସାଙ୍ଗ ଆଇଆରଏସ ବି ପାଇଥିଲେ  । ସେମାନଙ୍କ ସହ ମିଳାମିଶା କରି ସେଲଫି ନେଉଥିଲା  । ଧିରେଧିରେ ସାଙ୍ଗମାନଙ୍କ ଜରିଆରେ ସେ ବହୁ ବରିଷ୍ଠ ଅଧିକାରୀଙ୍କୁ ବି ଭେଟିବାରେ ସଫଳ ହୋଇଥିଲା  । ସେମାନଙ୍କ ସହ ସେଲଫି ଉଠାଇ ସେ ଫେସବୁକ୍ରେ ପୋଷ୍ଟ କରୁଥିଲା  । ତା’ର ପାୱାର ଦେଖି ଅନେକ କଳା ବ୍ୟବସାୟୀ ତା’ ସହ ଯୋଗାଯୋଗ ବି କରୁଥିଲେ  । ମାମଲା ରଫାଦଫା କରିଦେବା ଆଳରେ ସେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଥିବା ଜାଣିବାକୁ ମିଳିଛି  ।  ଜଉବାକର୍ପ ୱେବସାଇଟର ତଥ୍ୟ ଅନୁଯାୟୀ ଗତ ୨୦୨୧ରୁ ୨୦୨୩ ମଧ୍ୟରେ ଭକ୍ତି ବିନୋଦ ବେହେରା ନାମକ ଜନୈକ ବ୍ୟକ୍ତି ୫ଟି କମ୍ପାନୀର ନିଦେ୍ର୍ଦଶକ ବି ଥିଲେ  । ସେହିସବୁ କମ୍ପାନୀଗୁଡ଼ିକ ହେଉଛି, ନେକ୍ସଟଟ୍ରେଡ଼ ସଲୁ୍ୟସଲନସ ପ୍ରାଇଭେଟ ଲିମିଟେଡ଼, ବିଥ୍ରୀଏନ ମାଇନିଂ ଆଣ୍ଡ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ଼, ଟ୍ରିଡ଼ମ ଏଡ଼ଟେକ ପ୍ରାଇଭେଟ ଲିମିଟେଡ଼, ବେକୁ୍ୟବ ସିକୁ୍ୟରିଟି ଆଣ୍ଡ ହାଉସକିପିଂ ପ୍ରାଇଭେଟ୍ ଲିମିଟେଡ଼ ଓ କାଇରା ୱେଲଫେୟାର ଫାଉଣ୍ଡେସନ  । ଗିରଫ ହୋଇଥିବା ଭକ୍ତି ହିଁ ଏହି ସବୁ କମ୍ପାନୀର ନିଦେ୍ର୍ଦଶକ ଥିବା କୁହାଯାଉଛି  ।  
ଅଫିସରମାନଙ୍କ ସହ ତା’ର ସମ୍ପର୍କ ରହିଛି ବୋଲି ଭକ୍ତି ପ୍ରଚାର କରି ଜାଲ ବିଛାଉଥିଲା  । ଖାଲି ସେତିକିନୁହେଁ, ୟୁପିଏସସି ଟ୍ରି ନାମକ ଏକ ସଂସ୍ଥା ସହ ସେ ଜଡ଼ିତ  । ସାଧାରଣତଃ ଏଭଳି କୋଚିଂ ସେଣ୍ଟରକୁ ଅନେକ ସମୟରେ ଆଇଏଏସ, ଆଇପିଏସ ଓ ଆଇଆରଏସମାନେ ଟିପ୍ସ ଦେବାକୁ ଆସିଥା’ନ୍ତି  । ସେଠାରେ ବି ସେ ଫଟୋ ଉଠାଇ ଫେସବୁକ୍ରେ ଛାଡ଼ିଦେଉଥିଲା  । ଅଫିସରମାନେ ଭଲ ମନରେ ଫଟୋ ଉଠାଇବାର ସୁଯୋଗ ଦେଉଥିଲେବି, ଭକ୍ତି ଏତେ ଖତରନାକ ବୋଲି କେହି ଟେର ପାଉନଥିଲେ  । ବଡ଼ ବଡ଼ ଲୋକଙ୍କୁ ତଦନ୍ତକାରୀ ସଂସ୍ଥାର ଜାଲରୁ ଖସାଇଦେବା ପାଇଁ ଲୋଭ ଦେଖାଇ କୋଟି କୋଟି ଟଙ୍କା ବି ଲୁଟ୍ କରିଛି  । ତେବେ ସେ ପ୍ରକୃତରେ ଅଫିସରମାନଙ୍କୁ ଟଙ୍କା ଦେଉଥିଲା, ନା ସବୁ କିଛି ଚଳୁ କରିଦେଉଥିଲା? ସତରେ ଅଫିସରମାନେ ତାକୁ ଏହି କାମରେ ଲଗାଉଥିଲେ ନା ଭକ୍ତି ସେଲଫି ଫଟୋର ପାୱାର ଦେଖାଇ ଦଲାଲି କରୁଥିଲା ? ଏମିତି ଅନେକ ପ୍ରଶ୍ନ ଉଠିଛି  । ତେବେ ଏନେଇ ଜଣେ ଅଧିକାରୀ କହିଛନ୍ତିଯେ, ସେମାନେ ସାଧାରଣ ଜୀବନରେ ରହିଛନ୍ତି  । ବିଭିନ୍ନ ଉତ୍ସବ, ମହୋତ୍ସବ, ସରକାରୀ କାର୍ଯ୍ୟକ୍ରମରେ ବି ଯୋଗଦିଅନ୍ତି  । ସେହି ସ୍ଥାନରେ ଯଦି କେହି ଫଟୋ ଉଠାଇବାକୁ କହେ ସେମାନେ ମନା କରିପାରନ୍ତି ନାହିଁ  । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଯଦି ଫଟୋ ଉଠାଇ ଲୁଟ୍ କରିବେ ତେବେ କ’ଣ କୁହାଯାଇପାରିବ ? ବଡ଼ ବଡ଼ ଅଫିସରଙ୍କ ସହ ଫଟୋ ଉଠାଇ ଲୁଟ୍ କରିଥିବା ଏଭଳି ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ଦାବି ହେଉଛି  ।