ଧରାପୃଷ୍ଠକୁ ବିମୋହିତ କରୁଛି ସାଧବ ବୋହୂ

 କୋକସରା : ପୃଥିବୀ ପୃଷ୍ଠରେ ଅବତରଣ କରିଛି ବର୍ଷା ଋତୁ ବସୁଧା ସବୁଜ ସୁନ୍ଦର ହେବା ସହ ଭରପୁର ହୋଇ ଉଠିଛି ସବୁଜିମା । ଆଉ ସେହି ସବୁଜିମାରେ ଅଧିକ ସୁନ୍ଦରତା ଭରି ଦେଇଛନ୍ତି, ତଥା ପୃଥିବୀ ପୃଷ୍ଠରେ ସବୁଜକୁ ରଙ୍ଗିନ କରିଛନ୍ତି କୁନି କୁନି ନାଲି ଟୁକୁ ଟୁକୁ ସାଧବ ବୋହୂ ଲାଗେ ସତେ ଯେମିତି ଘାଷ ଗାଲିଚା ଉପରେ ଓଲ୍ଲେହି ଆସିଛନ୍ତି ଅପସରାମାନେ । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଦେଖୁବାକୁ ମିଳିଛି ସାଧବ ବୋହୂଙ୍କ ସମ୍ଭାର । ସେହିପରି କୋକସରା ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ମଧ୍ୟ ନାଲି ଟୁକୁ ଟୁକୁ ସାଧବ ବୋହୂଙ୍କ ସୋନ୍ଦର୍ଯ୍ୟର ପସରା ତା ସାଙ୍ଗକୁ ପାହାଡ ପର୍ବତ ମାଳା ହୋଇ ଉଠିଛି ସବୁଜିମା । ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଦେଖି କବି ଓ ପ୍ରକୃତି ପ୍ରେମୀ ହୋଇ ଯାଇଛନ୍ତି ଭାବୁକ । କାହିଁ କେତେ କାଳରୁ ଚାଷୀ ଭାଇଙ୍କ ସାଥି ପାଲଟିଛନ୍ତି ଏହି ସାଧବ ବୋହୂ । ସାଧବ ବୋହୂଙ୍କୁ ଦେଖି ଏ ବର୍ଷ ଭଲ ଫସଲ ହେବ ବୋଲି ଅନୁମାନ କରିନିଏ ଚାଷୀ ଭାଇ  । ମାତ୍ର ଆଜି ଏ କିଟ ବିଲୁପ୍ତ ପ୍ରାୟ ରାସାୟନିକ ସାର ଓ କିଟ ନାଶକ ଔଷଧର ବିପୁଳ ପ୍ରୟୋଗ ଯୋଗୁଁ ଏ ମାନଙ୍କର ବଂଶ ଲୋପ ପାଇଯାଉଛି  । କିନ୍ତୁ ଆଜିବି ଜିଲ୍ଲାର ଅନେକ ସ୍ଥାନରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନାଲି ଓଢ଼ଣି ତଳେ ଢାଙ୍କି ହୋଇ ଧରା ମଣ୍ଡଳକୁ ସୌନ୍ଦର୍ଯ୍ୟ କରୁଛନ୍ତି ଏହି ସାଧବ ବୋହୂମାନେ, ଯାହାର ନିଆରା ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ସତରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଓ ଧରା ପୃଷ୍ଟରେ ନାଲି ରଙ୍ଗର ସାଧବ ବୋହୂ ଲାଗୁଛି ସତେ ଯେମିତି ପ୍ରକୃତିର ରାଣୀ ନାଲି ସାଢି ପିନ୍ଧି ସଜେଇ ହୋଇଛି ।