୪ ମାସ ପର୍ଯ୍ୟନ୍ତ ଉଚ୍ଛେଦ କରିବନି ବନବିଭାଗ
ନବରଙ୍ଗପୁର : ବନବାସୀଙ୍କୁ ୪ ମାସ ପର୍ଯ୍ୟନ୍ତ ବନ ବିଭାଗ ହଇରାଣ କରିବ ନାହିଁ ବୋଲି ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ବନବାସୀ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି । ୧୫ଦଫା ଦାବି ନେଇ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକର ଜଙ୍ଗଲ ଜମିରେ ବସବାସ କରୁଥିବା ୩ ହଜାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ । ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ସାମୟିକ ଭାବେ ଆନେ୍ଦାଳନକୁ ପ୍ରତ୍ୟାହୃତ କରାଯାଇଥିଲା । ପରେ ଏ ନେଇ ଡିଏଫଓ ଶ୍ରୀ ବେହେରାଙ୍କ ସହ ବନବାସୀଙ୍କ ପ୍ରତିନିଧି ମଞ୍ଚର ସାଧାରଣ ସମ୍ପାଦକ ରାଜେଶ ଜାନୀ, ହାରାବତୀ ଗଣ୍ଡ, ମୁନା ତ୍ରିପାଠୀ, ବୃନ୍ଦା ତ୍ରିପାଠୀ, ବିଶ୍ୱନାଥ ଜାନୀ, ସାଲା ମାରାଣ୍ଡି, ନୂଆଖାଉ ଭତରା ଆଲୋଚନା କରିଥିଲେ । ଆଲୋଚନା ପରେ ଆସନ୍ତା ୪ ମାସ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ଜଙ୍ଗଲ ଜମି ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ସମ୍ପର୍କରେ ତହସିଲ ଓ ଜିଲ୍ଲା କମିଟିରେ ଆଲୋଚନା କରି ନିଷ୍ପତ୍ତି ନେଇ ପଟ୍ଟା ପ୍ରଦାନ କରାଯିବ ବୋଲି ଡିଏଫଓ କହିଥିଲେ । ଉମରକୋଟ ବ୍ଲକର ମେନ୍ଦାବେଡ଼ାରେ ଭଙ୍ଗାଯାଇଥିବା ଘର ଗୁଡ଼ିକରେ ରହିଯାଇଥିବା ଜିନିଷପତ୍ର ସଂଗ୍ରହ କରିବେ । ଝରିଗାଁ ବ୍ଲକର ହାତୀବାରିରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ଆସନ୍ତା ଦିନରେ ବନବାସୀ ମଧ୍ୟ ପରିବେଶ ସୁରକ୍ଷା ପାଇଁ ବନ ବିଭାଗକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଜଙ୍ଗଲର ସୁରକ୍ଷା ଏବଂ ବୃକ୍ଷରୋପଣ କରିବା ଦିଗରେ ସହଯୋଗ କରାଯିବ ବୋଲି ପ୍ରତିନିଧିମାନେ କହିଥିଲେ । ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ନବରଙ୍ଗପୁରରେ ୫୦ ହଜାର ବନବାସୀଙ୍କୁ ନେଇ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରାଟ ସମାବେଶ କରାଯିବ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଭ୍ୟ ମୁନା ତ୍ରିପାଠୀ । ତେବେ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଏହା ଉଗ୍ର ରୂପ ନେବ । ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ବିଚାର କରି ସ୍ଥାୟୀ ସମାଧାନ କରିବାକୁ ମତ ପ୍ରକାଶ ପାଇଛି ।