ସ୍କୁଲସ୍ତରରୁ ସଡ଼କ ସୁରକ୍ଷା ସଚେତନତା 

 ନୂଆଦିଲ୍ଲୀ/ଭବନେଶ୍ୱର  : ସଡ଼କ ସୁରକ୍ଷାର ଗୁରୁତ୍ୱକୁ ଅଣଦେଖା କରିବା ଉଚିତ୍ ନୁହେଁ  । ସଡ଼କ ସୁରକ୍ଷାକୁ କେବଳ ଆଇନ ବ୍ୟବସ୍ଥାରେ ନହେଁ ବରଂ ଜନଆନେ୍ଦଳନ ରୂପରେ ଦେଖାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଳ୍ପନା ରହିଛି  । ଏହି ପରିପ୍ରେକ୍ଷୀରେ ସ୍କୁଲ ସ୍ତରରେ “ସୁରକ୍ଷିତ ଯାତ୍ରା” ଶିକ୍ଷା କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା ଏବଂ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ‘ସୁରକ୍ଷିତ ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି  । ଏହି ଅବସରରେ ପ୍ରଧାନ କହିଛନ୍ତି ଏଭଳି ପଦକ୍ଷେପ ଦ୍ୱାରା ଆମର ଯୁବବର୍ଗମାନେ ବିଦ୍ୟାଳୟ ସ୍ତରରେ ହିଁ ସଡ଼କ ସୁରକ୍ଷା ପ୍ରତି ସଚେତନ ହୋଇପାରିବେ । ଏହି ଅବସରରେ ଏନସିଇଆରଟିକୁ ପରାମର୍ଶ ଦେଇ କହିଛନ୍ତି ୨୦୨୫-୨୬ ଶିକ୍ଷା ବର୍ଷରୁ ସଡ଼କ ସୁରକ୍ଷା ବିଷୟ ଉପରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୟସ ଅନୁସାରେ ଉପଯୁକ୍ତ ଅଡ଼ିଓ-ଭିଡ଼ିଓ ମଡୁ୍ୟଲ୍ ପ୍ରସ୍ତୁତ କରାଯାଉ ।
ଦେଶର ୩୦ କୋଟି ଶିଶୁ ଏବଂ ଯୁବବର୍ଗଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିବା ଶିକ୍ଷା ବିଭାଗର ଦାୟିତ୍ୱ ।  ସଡ଼କ ସୁରକ୍ଷା ମହତ୍ତ୍ୱପୂର୍ଣ୍ଣ ଓ ଆବଶ୍ୟକ ମଧ୍ୟ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ମିଳିତ ଉଦ୍ୟମରେ ପରିଚାଳିତ ଏହି ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମରେ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ସଡ଼କ ସୁରକ୍ଷା ଏବଂ ସୁରକ୍ଷିତ ସଡ଼କ ବ୍ୟବହାର ଭଳି ପଦକ୍ଷେପ ଗୁଡ଼ିକ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନତା  କରାଯାଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ସହ କରାଯାଉଥିବା ଏହି ଅଭିଯାନ ଆଧାରରେ ଏହି ବିଷୟକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟାଳୟରେ ସ୍ଥାନୀୟ ଭାରତୀୟ ଭାଷାରେ  ବୁଝାଯିବ  ।