ଜେଲ ଭିତରକୁ ଟେନିସ୍ ବଲରେ ଯାଉଛି ନିଶାଦ୍ରବ୍ୟ
-ଏକାଧିକ ଜେଲ ଚାରିପଟେ ଲାଗିନି ସିସିଟିଭି
-କଏଦୀଙ୍କ ସହଯୋଗୀ ନେଉଛନ୍ତି ଫାଇଦା
-ସବୁ ଜେଲରେ ଚଢଉ କରିବା ପାଇଁ ନିଦେ୍ର୍ଦଶ
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୫ା୧୨: ରାଜ୍ୟରେ ଥିବା ଏକାଧିକ ଜେଲ ଭିତରକୁ ଯାଉଛି ନିଶାଦ୍ରବ୍ୟ । ଆଜି ସମ୍ବଲପୁର ମଣ୍ଡଳ କାରାଗାର ଏବଂ ବରଗଡ଼ ଜେଲରେ ଚଢଉ କରାଯାଇଥିଲା । ଚଢଉରେ ପୁଳାପୁଳା ନିଶାଦ୍ରବ୍ୟ ଜବତ କରାଯାଇଛି । ଭାଙ୍ଗ, ଖଇନି, ବିଡ଼ି, ଗୁଟଖା, ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ହାନିକାରକ ନିଶା ଦ୍ରବ୍ୟ । ଏହା ପୂର୍ବରୁ ମଧ୍ୟ ଝାରସୁଗୁଡା ଉପ କାରାଗାରରେ ଚଢାଉ ବେଳେ ଧସ୍ତାଧସ୍ତି ହୋଇଛି । ଚଢଉ ପରେ ଜେଲରୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଜେଲ ଭିତରେ ଗୋଷ୍ଠୀ ସଂଘର୍ଷରେ ବିଚାରାଧୀନ କଏଦୀ ପଶ୍ଚିମବଙ୍ଗର ରୋହିତ ବର୍ମା ଗୁରୁତର ଆହତ ହୋଇଛନ୍ତି । ରୋହିତଙ୍କୁ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଅନ୍ୟ ସ୍ଥାନରେ ରଖିଛନ୍ତି । ରୋହିତଙ୍କୁ ଉଦ୍ଧାର ବେଳେ କଏଦୀଙ୍କ ଆଉ ଏକ ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ସହ ଧସ୍ତାଧସ୍ତି କରିଥିଲେ । ଜୀବନରୁ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଜେଲ୍ ଭିତରକୁ କିଏ ଆଣୁଛି ମାଦକ ଦ୍ରବ୍ୟ । ସୁରକ୍ଷା ବଳୟ ଭେଦି ଜେଲର ଚାରି କାନ୍ଥକୁ କେମିତି ପଶୁଛି ? କିଏ ସାଜିଛି ଏହି ମାଦକ ଦ୍ରବ୍ୟ ସେବାର କାର୍ପଟଦାର । କଏଦୀ ଏବଂ ଅନ୍ୟମାନଙ୍କୁ ପୁଲିସ ପଚରାଉଚରା ପରେ ସତ ପଦାକୁ ଆସିଛି । ଗଞ୍ଜେଇ ହେଉ କି ଭାଙ୍ଗ, ଖଇନି ହେଉ କି ଗୁଟଖା ଅବା ବ୍ରାଉନସୁଗାର । ଟେନିସ ବଲରେ ଏସବୁ ଦ୍ରବ୍ୟକୁ ଭର୍ତ୍ତିର୍ କରି ଜେଲ ହତା ଭିତରକୁ ଫିଙ୍ଗାଯାଉଛି । ବଲଟି ଶୂନ୍ୟରେ ଉଡ଼ି ଉଡ଼ି ଆସି ଜେଲ ପରିସରରେ ଖସିପଡୁଛି । ପୂର୍ବରୁ ଜଣାଇଥିବା କଏଦୀ ମନପସନ୍ଦର ନିଶା ପୁଡ଼ିଆ ପାଇ ଖୁସୀ ହେଉଛନ୍ତି । ଏଥିସହ ଜେଲ୍ ପାଚେରୀ ତଳେ ଥିବା ଡ୍ରେନ୍ରେ ମଧ୍ୟ ନିଶାଦ୍ରବ୍ୟ ଏବଂ ମୋବାଇଲ ଯାଉଥିବା ଜଣାପଡ଼ିଛି । ଆଜି ଚଢଉ ପରେ ଟେନିସ ବଲ ଭିତରେ ନିଶାଦ୍ରବ୍ୟ ଯାଉଥିବା ସ୍ପଷ୍ଟ ହେବା ପରେ ପୁଲିସ ଆଲର୍ଟ ହୋଇଛି । ଆହୁରି ମଧ୍ୟ ରାଜ୍ୟରେ ଥିବା ଏକାଧିକ ଜେଲ ଚାରିପଟେ ସିସିଟିଭି ଲାଗିନାହିଁ । ଯେଉଁଥି ପାଇଁ କଏଦୀଙ୍କ ସହଯୋଗୀ ଏହାର ଫାଇଦା ନେଉଛନ୍ତି । ସେମାନେ ଫୋନ୍ କରି ସହଯୋଗୀଙ୍କୁ ଟେନିସ ବଲରେ ନିଶାଦ୍ରବ୍ୟ ଭର୍ତ୍ତି କରି ଫିଙ୍ଗିବାକୁ କହୁଛନ୍ତି । ସହଯୋଗୀଙ୍କୁ ଏକ ସମୟ ଦେଉଛନ୍ତି । ଯେଉଁ ସମୟରେ କଏଦୀ ଜେଲ ପରିସରକୁ ଆସି ଛିଡ଼ା ହେବା ପରେ ଏହି ସମୟରେ ସହଯୋଗୀ ବଲ ଫିଙ୍ଗୁଛନ୍ତି । ସିସିଟିଭିର ବ୍ୟବସ୍ଥା ହୋଇଥିଲେ ବଲ ଫିଙ୍ଗୁଥିବା ଜଣାପଡ଼ିପାରିବ । ବଡ଼କଥା ହେଲା ଏହି ଟେନିସ ବଲ ମାଧ୍ୟମରେ କଏଦୀଙ୍କ ସହଯୋଗୀ ଫିଙ୍ଗୁଥିବା ଜେଲ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ କିଛି ପଦେକ୍ଷପ ନେଉନାହାନ୍ତି । ଆଜି ସମ୍ବଲପୁର ମଣ୍ଡଳ କାରାଗାରରେ ଚଢଉ ପରେ ଜେଲର ଏଭଳି ଟେନିସ ବଲ ମାଧ୍ୟମରେ କଏଦୀଙ୍କୁ ସହଯୋଗୀ ଫିଙ୍ଗୁଥିବା କହିଥିଲେ । କେବଳ ସମ୍ୱଲପୁର ନୁହେଁ, ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲରେ ବି ଏଭଳି ନିରାପଦ ପନ୍ଥା ଆପଣାଇ ନିଶା ସାମଗ୍ରୀର ଅବାଧ ପ୍ରବେଶ କରାଉଛିି କଏଦୀ । ଏସବୁ କଥା ଜାଣିଲା ପରେ ଲାଗୁଛି ସତେ ଯେମିତି ମାଦକ ଦ୍ରବ୍ୟର ଭଣ୍ଡାର ପାଲଟିଛି କାରାଗାର । ଯେଉଁଠି ଜେଲ ମାନୁଆଲ ଅନୁଯାୟୀ ଶକ୍ତ ନିୟମ ଥାଏ ମଧ୍ୟ ତାହା ପାଳନ କରାଯାଉନି । କଏଦୀ ସଜା ପାଇବା ପରିବତ୍ତେ କରୁଛନ୍ତି ମଉଜ । ତେବେ କଡ଼ା ସୁରକ୍ଷାରେ ଥାଇ ଏବଂ ନିଶା ବ୍ୟବହାର ନିଷିଦ୍ଧ କଥା ଜାଣି ବି କଏଦୀ କାହିଁକି ବେଧଡ଼କ ଚଳାଇଛନ୍ତି ନିଶା କାରବାର ? ଏହି ବେଆଇନ କାର୍ଯ୍ୟକଳାପ ସଂପର୍କରେ କ'ଣ ଜେଲ କର୍ତ୍ତୃପକ୍ଷ ଆଗୁଆ ଜାଣିପାରୁନାହାଁନ୍ତି, ନା ଜାଣିଶୁଣି ଅଜଣା ରହୁଛନ୍ତି ? କାହିଁକି ହେଉନି ନିୟମିତ ଯାଞ୍ଚ ? କଏଦୀ ଏବଂ ଜେଲ କର୍ମଚାରୀଙ୍କ ମିଲିଭଗତରେ କାରାଗାରରେ ଏଭଳି ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି । ଏହି ଘଟଣା ପରେ ରାଜ୍ୟର ସବୁ ଜେଲରେ ଚଢଉ କରାଯିବ ବୋଲି ଜେଲ ବିଭାଗ ସୂଚନା ଦେଇଥିବା ଜଣାପଡ଼ିଛି ।