ସ୍ପୋର୍ଟସ୍ ହବ୍ ହେବ କେନ୍ଦୁଝର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଆଜି କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ କି, ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ପରି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ନିଶ୍ଚିତ ଭାବେ ବିଶ୍ୱବିଦ୍ୟାଳୟର ଯାତ୍ରାରେ ଏକ ମାଇଲଖୁଣ୍ଟ ହୋଇ ରହିବ । ଏହି ଅବସରରେ ରାଜ୍ୟର ୧୩ ବିଶ୍ୱବିଦ୍ୟାଳୟରୁ ଭାଗନେଉଥିବା ପ୍ରତିଯୋଗୀମାନଙ୍କୁ ଖେଳରେ ଭଲ ପ୍ରଦର୍ଶନ କରିବା ପାଇଁ ଉସôାହିତ କରିଥିଲେ । ଖେଳକୁଦର ଗୋଟିଏ ମହତ୍ୱପୂର୍ଣ୍ଣ ଦିଗ ହେଉଛି ଖେଳୁଆଡ ମନୋଭାବ । ଖେଳକୁଦ ହେଉଛି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କେବଳ ପ୍ରତିଯୋଗିତା ପାଇଁ ନୁହେଁ, ଶରୀରକୁ ସୁସ୍ଥ ଓ ଚଞ୍ଚଳ ରଖିବା ପାଇଁ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ । ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ଦେଶର ଏକ ଆଗଧାଡିର ରାଜ୍ୟ । ଆମ ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକସ୍ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ସୃଷ୍ଟି କରାଯିବ । କ୍ରୀଡାର ବିକାଶ ପାଇଁ ୫ ବର୍ଷ ମଧ୍ୟରେ ୪ ହଜାର ଏକ ଶହ ୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୨୫-୨୬  ଆର୍ଥିକ ବର୍ଷରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପର୍ଟସ ହବ୍ ରୂପେ ବିକାଶ କରାଯିବା ସହିତ ସାରା ରାଜ୍ୟରେ କ୍ରୀଡା କ୍ଷେତ୍ରରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାୟକ, ବିଧାୟକ ସନାତନ ମହାକୁଡ଼, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ଧରଣୀଧର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଓ କୁଳସଚିବ ଶଶିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।  ସୂଚନାଯୋଗ୍ୟ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡା ମହାକୁମ୍ଭରେ ରାଜ୍ୟର ୧୨ ଗୋଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।