ସ୍ୱଚ୍ଛତାକୁ ମାନୁନାହାଁନ୍ତି କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ
ଜଟଣୀ : ଦିନକୁ ଦିନ ଜଟଣୀ ସହରର ଆୟତନ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ସହରାଞ୍ଚଳରେ ସରକାରୀ ଏବଂ ବେସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବା ସହିତ ତିଥିମାନଙ୍କରେ ବିବାହ, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆୟୋଜନ ହେଉଛି । ଏଣେ ଅନେକ ବେଆଇନ୍ ମଣ୍ଡପ ମାଲିକ କିଛି ଟେଣ୍ଟ ହାଉସ୍ ମାଲିକମାନଙ୍କୁ ହାତ କରି ଅଞ୍ଚଳର ଅନେକ ଜମି ମାଲିକ ଜାଗା ଉପରେ ଟେଣ୍ଟ କରି କଲ୍ୟାଣ ମଣ୍ଡପ ନାମରେ ଭଡା ଆଦାୟ କରୁଛନ୍ତି । ତେବେ ଏ ବାବଦରେ ସେହି ବେଆଇନ ମଣ୍ଡପ କର୍ତ୍ତୃପକ୍ଷମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ବେଳେ ବର୍ଜ୍ୟବସ୍ତୁ ଭାବେ ବାହାରି ପରିବେଶ ଦୁର୍ଗନ୍ଧ କରୁଥିବା ବାହାରେ ଗଦା ଗଦା ଅଇଁଠା ପତ୍ର ଓ ଖାଦ୍ୟପେୟକୁ ସଫା କରିବା ପାଇଁ ଭୁଲି ଯାଉଛନ୍ତି । ଏକ ସୂତ୍ରରେ କହିବାକୁ ଗଲେ ବାପପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା ଆଧାରରେ ମୁ୍ୟନିସିପାଲଟି ସ୍ୱଚ୍ଛତା ରକ୍ଷା ପାଇଁ ଲୋକ ଦେଖାଣିଆ ଡେଙ୍ଗୁରା ପିଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହିପରି ସାଧାରଣରେ ଉଠୁଥିବା ଏକ ଅଭିଯୋଗକୁ ଆଧାର କଲେ ଦେଖାଯାଇଛି କୁଦିଆରି ବଜାର ଅଞ୍ଚଳରେ ଥିବା ଲକ୍ଷ୍ମୀ ବିଳାସ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଭୋଜି ସରିଯିବା ପରେ ବର୍ଜ୍ୟବସ୍ତୁ ମୁ୍ୟନିସିପାଲଟି ସଫେଇ କର୍ମଚାରୀଙ୍କୁ ପ୍ରଦାନ ନ କରି କିଛିଟା ଅର୍ଥ ବଞ୍ଚାଇବା ଲୋଭରେ ମଣ୍ଡପ ପଛରେ ସିଧାସଳଖ ଢାଳିଦେବା ଫଳରେ ଆଖପାଖରେ ବସବାସ କରୁଥିବା ଲୋକମାନେ ଦୁର୍ଗନ୍ଧମୟ ପରିବେଶରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ଏ ନେଇ ପରିମଳ ସୁପରଭାଇଜର, ସ୍ୱଚ୍ଛ ସାଥୀ ଓ ପରିମଳ ବିଶେଷଜ୍ଞଙ୍କୁ ସମସ୍ୟା ଉପରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଫଳ ଶୂନ୍ । ଅନ୍ୟ ପକ୍ଷରେ ନିୟମ ଅନୁସାରେ ଯେତେଗୁଡ଼ିଏ କଲ୍ୟାଣ ମଣ୍ଡପ ଅଛି ସେମାନେ ନିଜସ୍ୱ ପାର୍କିଂ ବ୍ୟବସ୍ଥା କରିବେ, ଅଳିଆ ଆବର୍ଜନା ଆଦିକୁ କମ୍ପୋଷ୍ଟ ପିଟରେ ପକାଇବେ, ବ୍ୟବସାୟିକ ପ୍ଲାନ୍ ଆବେଦନ କରିବେ, ଏତଦ୍ବ୍ୟତୀତ ମଣ୍ଡପ ସମ୍ମୁଖରେ ପାର୍କିଂ କରାଯାଉଥିବା ଯାନବାହନ ଜନିତ ଉପୁଜୁଥିବା ଟ୍ରାଫିକ ସମସ୍ୟା ସୁଧାର ଆଣିବା ପାଇଁ ମୁ୍ୟନିସିପାଲଟି ପକ୍ଷରୁ କେଉଁ କେଉଁ ଅଞ୍ଚଳରୁ ମଣ୍ଡପକୁ ଆସୁଥିବା ଶୋଭାଯାତ୍ରାର ରୁଟ ସ୍ଥିରତା ଧାର୍ଯ୍ୟ କରାଯାଇ ଏହି ରୁଟ ମ୍ୟାପ୍ର ନକଲ ଆବେଦନ ପତ୍ରରେ ପ୍ରଦାନ କରିବା କଥା । ହେଲେ ପ୍ରଶାସନର ଧୃତରାଷ୍ଟ୍ରଙ୍କ ଭୂମିକାର ସୁଯୋଗରେ ଅଧିକାଂଶ କଲ୍ୟାଣ ମଣ୍ଡପ ଚାଲୁଛି, ଯେଉଁମାନଙ୍କ ପାଇଁ ନିୟମ କାନୁନ କିଛି ନାହିଁ । କିଛିବର୍ଷ ତଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଏହିପରି ଚାଲୁଥିବା ଅନେକ ବେଆଇନ୍ କଲ୍ୟାଣ ମଣ୍ଡପ ଗୁଡିକୁ ସିଲ୍ କରିଦିଆଯାଇଥିବା ବେଳେ ଏହାର ବ୍ୟତିକ୍ରମ କାହିଁକି ଜଟଣୀ ସହରରେ ପରିଲକ୍ଷିତ ହୋଇଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତଏବ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।