ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ଟିକେଟ ଯାଞ୍ଚ : ୧ ଲକ୍ଷ ୭୩ ହଜାର ଜରିମାନା ଆଦାୟ
ଜଟଣୀ : ଟ୍ରେନରେ ବିନା ଟିକେଟ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ଡିଭିଜନର ବିଭିନ୍ନ ରେଳ ଷ୍ଟେସନରେ ଏକ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି । ଏହି ପଦକ୍ଷେପଦ୍ୱାରା ପ୍ରକୃତ ଟିକେଟଧାରୀ ଯାତ୍ରୀମାନଙ୍କୁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧାରୋଡ୍ ଡିଭିଜନର ପ୍ରତିବଦ୍ଧତାର ଏକ ଅଂଶ । ଟିକେଟ୍ ଯାଞ୍ଚ ଅଭିଯାନରେ ଖୋର୍ଦ୍ଧାରୋଡର ବାଣିଜି୍ୟକ ପ୍ରବନ୍ଧକ ଅନିଲ କୁମାର ଏସ୍ଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଛି । ଯେଉଁଥିରେ ବାଣିଜି୍ୟକ ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବାହିନୀ ସାମିଲ ଅଛନ୍ତି । ଗତ ୧୦ ଦିନରେ କଟକ, ଭୁବନେଶ୍ୱର, ବାଣୀବିହାର, କଣାସ ରୋଡ଼, ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଆଦି ରେଳ ଷ୍ଟେସନ ଓ ପାସେଞ୍ଜର ହଲ୍ଟରେ ଟିକେଟ୍ ଯାଞ୍ଚ ଅଭିଯାନ କରାଯାଇଛି । କଟକ ରେଳ ଷ୍ଟେସନରେ ଟିକେଟ ଯାଞ୍ଚ ଅଭିଯାନ ସମୟରେ ବିନା ଟିକେଟରେ ଯାତ୍ରା କରିବାର ୧୦୫ଟି ମାମଲା ଚିହ୍ନଟ ହୋଇଥିଲା ଏବଂ ଏହି ଯାତ୍ରୀମାନଙ୍କଠାରୁ ଭଡା ବାବଦକୁ ଜରିମାନା ସହିତ ୭୩,୮୪୦ ଟଙ୍କା ଆଦାୟ କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ୫୧ ଜଣ ଅନଧିକୃତ ଯାତ୍ରୀଙ୍କଠାରୁ ୧୪,୧୨୫ ଟଙ୍କା, ବାଣୀବିହାରରେ ୯୨ ଜଣ ଯାତ୍ରୀଙ୍କଠାରୁ ୩୧,୦୧୫ ଟଙ୍କା, କଣାସ ରୋଡରେ ୮୪ ଜଣ ଯାତ୍ରୀଙ୍କଠାରୁ ୨୬,୧୬୭ ଟଙ୍କା ଏବଂ ଲିଙ୍ଗରାଜ ଟେମ୍ପୁଲ ରୋଡ଼ରେ ୯୨ ଜଣ ଯାତ୍ରୀଙ୍କଠାରୁ ୨୮,୨୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ଖୋର୍ଦ୍ଧା ରୋଡ୍ ଡିଭିଜନର ବିଭିନ୍ନ ରେଳ ଷ୍ଟେସନରେ ନିୟମିତ ଟିକେଟ ଯାଞ୍ଚ ଅଭିଯାନ ଆୟୋଜନ କରିବାକୁ ମଧ୍ୟ ଯୋଜନା କରାଯାଉଛି ।