ସ୍ୱାଧୀନତା ସଂଗ୍ରାମୀଙ୍କ ଶେଷକୃତ୍ୟ
ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ଦକ୍ଷିଣନରସିଂହପୁର ଗାଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କେଶବ ଚନ୍ଦ୍ର ପାଣିଗ୍ରାହୀ (୯୮)ଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ ତମାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟଶଯ୍ୟା ନିକଟରେ ୪ ପୁଅ ଗଜେନ୍ଦ୍ର, ସୁରେନ୍ଦ୍ର, ଜିତେନ୍ଦ୍ର, ଅଜିତ ଓ ୩ ଝିଅ ସ୍ନେହଲତା, ଗିରିରାଜ, ପ୍ରେମଲତାଙ୍କ ସମେତ ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ । ଏହି ମହାନ ବ୍ୟକ୍ତିଙ୍କ ମୃତୁ୍ୟ ଖବର ପାଇ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ପାଣିଗ୍ରାହୀଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ଘରବାଡି ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏହି ସମୟରେ ନୀଳଗିରି ତହସିଲଦାର ସୋନମ ଦାସ, ଏସଡିପିଓ ସୋରଜ କୁମାର ଉପାଧ୍ୟାୟ, ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣ ପ୍ରମୁଖ ମର ଶରୀର ଉପରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନାଯୋଗ୍ୟ, ୧୯୨୭ ମସିହା ଏପ୍ରିଲ ୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ପାଠ ପଢିବା ବୟସରୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଏ ନେଇ ସେ ଇଂରେଜ ସରକାରଙ୍କ ନଜର ବନ୍ଦୀରେ ସବୁବେଳେ ରହି ଆସୁଥିଲେ । ଗିରଫ ହୋଇ ଗୃହବନ୍ଦୀ ମଧ୍ୟ ହେବା ସହ ୮ ଦିନକୁ ଥରେ କୋର୍ଟ ଯାଉଥିଲେ । ୬.୧୦.୧୯୪୨ ରୁ ୭.୧୦.୧୯୪୩ ଭାରତଛାଡ ଆନ୍ଦଳନ ପାଇଁ ୧ ବର୍ଷ ପାଇଁ କାରାବାସ ଯାଇଥିଲେ । ଦେଶ ସ୍ୱାଧୀନତା ପାଇବା ପରେ ତାଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଭାବେ ମାନ୍ୟତା ଦିଆଯାଇଛି । ଏହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କୁ ୨୦୧୩ ମସିହା କ୍ରାନ୍ତି ଦିବସରେ ତତ୍କଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।