ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଛି ମିଶନ ଶକ୍ତି ଗୃହ
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୫ ନଂ ୱାର୍ଡ ଅଧିନ ନୀଳାଞ୍ଚଳ ସାହିରେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା । ଆଜକୁ ବର୍ଷକ ତଳେ ନିର୍ମାଣ ହୋଇଥିବା ଏହି ଗୃହଟି ଆଜିସୁଦ୍ଧା କାର୍ଯ୍ୟକ୍ଷମ ନ ହୋଇ ଏବେ ତାଲା ଝୁଲୁଥିବା ବେଳେ ଗୃହର ସମ୍ମୁଖ ଭାଗ ସମେତ ଚତୁଃପାର୍ଶ ଅନାବନା ଗଛଲତାରେ ଭରି ହୋଇ ରହିଥିବା ନଜରକୁ ଆସୁଛି । ଫଳରେ ମିଶନ ଶକ୍ତି ଗୃହଟି ବିଷଧର ସରୀସୃପଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଥିବା ଜଣାପଡିଛି । ସୂଚନାଯୋଗ୍ୟ, ଯେଉଁ ମହତ ଉଦେ୍ଦଶ୍ୟ ନେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ମିଶନ ଶକ୍ତି ଗୃହଟି ନିର୍ମାଣ କରାଯାଇଥିଲା ତାହା କାର୍ଯ୍ୟରେ ନ ଲାଗିବାରୁ ସ୍ଥାନୀୟ ୱାର୍ଡର ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ମହତ ଲକ୍ଷ୍ୟ ନେଇ ମିଶନ ଶକ୍ତି ଜରିଆରେ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ ହେଁ ବାସ୍ତବରେ ତୃଣମୂଳସ୍ତରରେ ଯୋଜନା ଗୁଡିକର ସଫଳ ରୁପାୟନ ହୋଇ ପାରୁନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମିଶନ ଶକ୍ତି ଗୃହ ପ୍ରତି ଏନ୍ଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ୱାର୍ଡବାସୀ ଦାବି କରିଛନ୍ତି ।