ଖଡିଆଳ ମହାବିଦ୍ୟାଳୟରେ ଆଲୋଚନାଚକ୍ର
ନୂଆପଡା: ଖଡ଼ିଆଳ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଆଲୋଚନା ଚକ୍ର "ଲୋକ ପ୍ରୟୋଗିକ ଉଦ୍ଭିଦ ବିଜ୍ଞାନ ଓ ଜୈବ ବିବିଧତା ସଂରକ୍ଷଣ-ଏକ ବିଶ୍ୱ ଅବବୋଧ’ଉଦ୍ୟାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ୟାପନୀ ଅଧିବେଶନରେ ରାମକୃଷ୍ଣ ମିଶନ ବିବେକାନନ୍ଦ ସେଣ୍ଟ୍ନରୀ କଲେଜ, ରାହାରା, କଲିକତାର ସହଯୋଗୀ ଅଧ୍ୟାପକ ଡ଼କ୍ଟର ହରିଶଙ୍କର ଦେ ଏବଂ ରେଭେନ୍ସା ବିଶ୍ୱବଦ୍ୟାଳୟର ଅତିଥି ସହଯୋଗୀ ଅଧ୍ୟାପକ ଡକ୍ଟର ସମରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର କର ଆଲୋଚନା ଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ବୈଷୟିକ ଅଧିବେଶନ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିନର ଏହି ଆଲୋଚନାଚକ୍ରରେ ଡକ୍ଟର ପ୍ରଦୀପ କୁମାର କାମିଳାଙ୍କ ଦ୍ୱାରା ପରିଚାଳିତ ବୈଷୟିକ ଅଧିବେଶନରେ ପ୍ର.ହରିଶଙ୍କର ଦେ ଏବଂ ପ୍ର.ସମରେନ୍ଦ୍ର ମଲ୍ଲିକ ଯୋଗ ଦେଇ ଶୈବାଳ ବିବିଧତା ଏବଂ ଉପଯୋଗୀତା,ଖାଦ୍ୟ ଉପଯୋଗୀ ଜଙ୍ଗଲ ଜାତୀୟ ବୃକ୍ଷଲତା, ଭବିଷ୍ୟତ ଖାଦ୍ୟ ସୁରକ୍ଷା ଏବଂ ଜୈବବିବିଧତା ସଂରକ୍ଷଣର ବିଭିନ୍ୟ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଖଡ଼ିଆଳ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ତଥା ରାଜ୍ୟର ଅନ୍ୟାନ୍ୟ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜର ଆଲୋଚିତ ବିଷୟକୁ ଉପସ୍ଥାପନା କରିଥିଲେ । ଡକ୍ଟର ସୁବାସ ଚନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଏବଂ ଡକ୍ଟର ପ୍ରଦୀପ କୁମାର କାମିଳା ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ ।