ପୁଷ୍ପମିତ୍ର ମହାପାତ୍ର : ଶବ୍ଦରେ ଭରିରହିଛି ଅମୃତର ଉତ୍ସ୍ୱାସ । ଯୁଗ ଯୁଗ ଧରି ସ୍ମରଣ କରିଛନ୍ତି ତେବତା, ଦାନବ ଆଉ ମାନବ । ମା’ ବାରମ୍ବାର ଆବିର୍ଭୁତା ହୁଅନ୍ତି ସନ୍ତାନର ଅକୁଳ ପ୍ରାର୍ଥନାରେ । ମା’ର ଇଚ୍ଛା ସଦା ପୂର୍ଣ୍ଣହୁଏ । ସେ ଶକ୍ତିସ୍ୱରୂପିଣୀ । ପ୍ରତିଟି ଅଣୁ ପରମାଣୁ, ଜଡ଼ ଚେତନରେ ସେ ଶକ୍ତି ରୂପେ ବିରାଜିତା । ଏ ଶରୀର ମଧ୍ୟ ଶକ୍ତି ବିନା ଜଡ଼ । ଶକ୍ତିକୁ ବାଦ ଦେଲେ ଜୀବ ଶବରେ ପରିଣତ ହୁଏ । ଶକ୍ତି, ଜଡ଼ରେ ଚୈତନ୍ୟସତ୍ତା ଆଣେ । ଦେବତାମାନଙ୍କ ତେଜରୁ ସୃଷ୍ଟ ଦେବୀ ତେଜସ୍ୱିନୀ ହୋଇ ଉଠିଲେ । ଗୋଟି ଗୋଟି କରି ରାକ୍ଷସମାନଙ୍କ ସହ ତାଙ୍କ ସୈନ୍ୟସାମନ୍ତଙ୍କୁ ବିନାଶ କରିବାରେ ଲାଗିଲେ । କ୍ରମାନ୍ୱୟରେ ମହିଷାସୁର, ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ, ରକ୍ତବୀର୍ଯ୍ୟ, ନିଶୁମ୍ଭ ଓ ଶୁମ୍ଭଆଦି ରାକ୍ଷସମାନଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିବାରେ ମା’ଙ୍କ ଭୂମିକା ଅତୁଳନୀୟ । ଚଣ୍ଡ-ମୁଣ୍ଡ ଥିଲେ ମହିଷାସୁରର ଚର । ଚଣ୍ଡ-ମୁଣ୍ଡ ଦେବୀ ଦୁର୍ଗାଙ୍କୁ ସୁନ୍ଦରୀ ନାରୀରୂପରେ ଦର୍ଶନ କରି ମହିଷାସୁରକୁ ସମ୍ବାଦ ଦେଇଥିଲେ ଯେ ଏପରି ସୁନ୍ଦରୀ ନାରୀ ହିଁ ଆପଣଙ୍କ ଭୋଗ୍ୟା ହେବା ଉଚିତ୍ । ନାରୀର ରୂପବର୍ଣ୍ଣନା ଶୁଣି ମହିଷାସୁର ଚଣ୍ଡ-ମୁଣ୍ଡଙ୍କୁ ପୁନର୍ବାର ପ୍ରେରଣକଲା ସୁନ୍ଦରୀକୁ ଡକାଇ ଆଣିବା ପାଇଁ । ହେଲେ ନାରୀର ଥିଲା ଅଦ୍ଭୁତ ସର୍ତ୍ତ । ‘ଯୋ ମାଂ ଜୟତି ସଂଗ୍ରାମେ ଯୋମେ ଦର୍ପଂ ବ୍ୟପୋହତି । ଯୋ ମେ ପ୍ରତିବଳୋ ଲୋକେ ସମେ ଭର୍ତ୍ତା ଭବିଷ୍ୟତି ।ା’ ଅର୍ଥାତ୍ ଯେ ମୋତେ ସଂଗ୍ରାମରେ ଜୟକରି, ମୋର ଦର୍ପକୁ ବିନାଶ କରିବ ଏବଂ ମୋ ସହିତ ଯାହାର ବଳ ସମକକ୍ଷ ହେବ ସେ ହିଁ ମୋତେ ବିବାହ କରିବ। ଏଭଳି ସର୍ତ୍ତ ଶୁଣି ମହିଷାସୁର ପରିହାସ କରିଥିଲା । ଚଣ୍ଡ-ମୁଣ୍ଡଙ୍କ ଜରିଆରେ ଭୋଗକରିବାକୁ ସ୍ୱପ୍ନଦେଖିବାବେଳେ ସେମାନଙ୍କର ଧ୍ୱଂସ ହୋଇଯାଇଥିଲା । ପରେ ପରେ ପ୍ରେରଣକଲା ରକ୍ତବୀଜକୁ । ଯାହାର ରକ୍ତ ବୀର୍ଯ୍ୟପରି କ୍ରିୟାଶୀଳ । ଭୂଭାଗରେ ବୁନ୍ଦାଏ ରକ୍ତ ପଡ଼ିଲେ ଅପରୂପ ଭାବରେ ଅସୁରଟିଏ ସୃଷ୍ଟିହୋଇଯାଉଥିଲା । ଦେବୀ ତାକୁ ମଧ୍ୟ ବିନାଶ କଲେ । ଶେଷରେ ମହିଷାସୁରକୁ ମଧ୍ୟ ବିନାଶକଲେ । ଦେବତାମାନେ ପ୍ରାର୍ଥନାରେ ଦେବୀଙ୍କୁ ଅନେକ ଭାବରେ ପ୍ରାପ୍ତିହେବାର ବର୍ଣ୍ଣନା ମଧ୍ୟରେ ଏକ ସମ୍ପ୍ରତି ସମାଜୋପଯୋଗୀ ସନ୍ଦେଶଟିଏ ଦେଇଯାଇଥିଲେ । ‘ବିଦ୍ୟା ସମସ୍ତାସ୍ତବ ଦେବି ଭେଦାଃ ସ୍ତ୍ରୀୟଃ ସମସ୍ତଃ ସକଳା ଜଗତ୍ସୁ...’ ଅର୍ଥାତ୍ ପ୍ରତିଟି ନାରୀ ହେଉଛନ୍ତି ଦେବୀଙ୍କର ନାନାରୂପ । ନାରୀ ଜାତିର ମହନୀୟତା ହିଁ ଏଥିରେ ପ୍ରତିପାଦିତ ହୁଏ । ଏହି ଅନୁସାରେ ଆଶ୍ୱିନ କୃଷ୍ଟ ଅଷ୍ଟମୀ ବା ମୂଳାଷ୍ଟମୀର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବା ମହାଷ୍ଟମୀ ପର୍ଯ୍ୟନ୍ତ ଦୁର୍ଗାପୂଜା କରାଯାଇଥାଏ । ଏହା ଷୋଡ଼ଶ ଦିବସ ବ୍ୟାପୀ ଦୁର୍ଗାପୂଜା । ଏହା ବ୍ୟତୀତ ନଅଦିନ, ପାଞ୍ଚଦିନ, ତିନିଦିନ, ଦୁଇ ଦିନ ଓ ଏକ ଦିନ ଦୁର୍ଗାପୂଜା ମଧ୍ୟ ହୋଇଥାଏ । ମାତ୍ର ଷୋଡ଼ଶ ଦିବସବ୍ୟାପୀ ଦୁର୍ଗାପୂଜା ସେ ସବୁ ମଧ୍ୟରେ ଶ୍ରେଷ୍ଠ । ଦେବୀପୀଠ ମାନଙ୍କରେ ବିଧିମତେ ଦୁର୍ଗୋତ୍ସବ ପାଳିତ ହେବା ସହିତ, ଏହି ଅବଧି ମଧ୍ୟରେ ଦେବୀଙ୍କର ବିଭିନ୍ନ ବେଶ ସଂପନ୍ନ ହୋଇଥାଏ । ଏହାର କିନ୍ତୁ ନିର୍ଦ୍ଧାରିତ ନିୟମ ନାହିଁ । ଏଣୁ ପରମ୍ପରା ଅନୁସାରେ ବା ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଦେବୀପୀଠରେ ଏହି ବେଶରେ ସଂଖ୍ୟା ଓ ପ୍ରକାର ଭିନ୍ନ ଭିନ୍ନ ହୋଇଥାଏ । ମୂଳାଷ୍ଟମୀରୁ ମହାଷ୍ଟମୀ - ଷୋହଳ ଦିନରେ ଷୋହଳ ପ୍ରକାରର ବେଶ ହେଉଥିବା ଦେବୀ ମାନଙ୍କ ମଧ୍ୟରେ କଟକ ଚଣ୍ଡୀ ଓ କଟକର ଗଡ଼ଚଣ୍ଡୀ ପ୍ରସିଦ୍ଧ । ଏହି ଷୋହଳ ଦିନ ମଧ୍ୟରୁ ପ୍ରଥମ ଆଠଦିନ ଯଥାକ୍ରମେ କଟକ ଚଣ୍ଡୀଙ୍କର ସୁନାବେଶ, ଭୁବନେଶ୍ୱରୀ ବେଶ, ଉଗ୍ରତାରା ବେଶ, ତ୍ରିପୁର ଭୈରବୀ ବେଶ, ସିଦେ୍ଧଶ୍ୱରୀ ବେଶ, ନାରାୟଣୀ ବେଶ, ରାଜରାଜେଶ୍ୱରୀ ବେଶ ଓ ମାତଙ୍ଗୀ ବେଶ ହେବା ପରେ, ଶୁକ୍ଳ ପ୍ରତିପଦା ଦିନ ଜଗଦ୍ଧାତ୍ରୀ ବେଶ ହୋଇଥାଏ । ଏହା ନବଦିନ ବ୍ୟାପୀ ଦୁର୍ଗାପୂଜା ବା ନବରାତ୍ରର ପ୍ରଥମ ଦିନ । ଏହାପରେ ଦ୍ୱିତୀୟା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାତଦିନ ଯଥାକ୍ରମେ ତାଙ୍କର ଜୟଦୁର୍ଗା ବେଶ, ଷୋଡ଼ଶୀ ବେଶ, ହରଚଣ୍ଡୀ ବେଶ, ବନଦୁର୍ଗା ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ ଓ ମହାକାଳୀ ବେଶ ହୋଇଥାଏ । ମହାଷ୍ଟମୀର ମହାକାଳୀ ବେଶ ପରେ ମହାନବମୀ ଦିନ ମହାଲକ୍ଷ୍ମୀ ବେଶ, ବିଶ୍ରାମଦିନ ମହାସରସ୍ୱତୀ ବେଶ ଏବଂ ବିଜୟା ଦଶମୀରେ ଦେବୀଙ୍କର ମହିଷମର୍ଦ୍ଦିନୀ ବେଶ ହୋଇଥାଏ ।
ଅନ୍ୟଥା ଯେ ମାତୃ ଶକ୍ତିକୁ ମନ ମଧ୍ୟରେ ଅନୁଭବ କରି ନପାରେ ବା ଭଗବତୀ ଶକ୍ତି ରୂପିରୀ "ମା'ର ପୂଜା ନ କରେ ବ ତାହାର ଶୁଭ ଆଗମନରେ ଆନନ୍ଦ ଅନୁଭବ ନକରେ ସେ କଦାପି କର୍ମ ଶକ୍ତିର ଆନନ୍ଦକୁ ଉପଲବ୍ଧି କରିପାରିବ ନାହିଁ । ଫଳତଃ ସେ ସତ ପ୍ରକୃତିର ବଶବର୍ତ୍ତୀ ହେବା ପରିବର୍ତ୍ତେ ଅସତ୍ ପ୍ରକୃତିର ବଶବର୍ତ୍ତୀ ହୋଇଥାଏ । କର୍ମମୟ ଜୀବନରେ ଉତ୍ସାହ, ନିଷ୍ଠା, ପ୍ରେରଣା ପାଇବା ପରିବର୍ତ୍ତେ ନିରୁତ୍ସାହିତ, ଗ୍ଲାନି, ପରାଜୟ, କର୍ମକୁଣ୍ଠା ତଥା ହିଂସାର ଭାବକୁ ମନ ମଧ୍ୟରେ ସ୍ଥାନ ଦେଇଥାଏ । ଏଜଗତରେ ମାତୃଶକ୍ତି ହିଁ ଅପରାଜେୟ ଆଦ୍ୟାଶକ୍ତି ରୂପେ ଯୁଗେ ଯୁଗେ ସମ୍ବୋଧିତା । ପ୍ରତ୍ୟେକ ଦେବତାର ବୈଶିଷ୍ଟ୍ୟ ତାଙ୍କର ସ୍ୱତନ୍ତ୍ର କ୍ଷମତାରେ । ଅପରାଜେୟ ମାତୃଶକ୍ତିର ଅଧିକାରୀ ହେବାପାଇଁ ପ୍ରତିଟି ପ୍ରାଣର ମହାମାୟାଙ୍କ କରୁଣା ଅପରିହାର୍ଯ୍ୟ । ତେଣୁ ପବିତ୍ର ଆବିର୍ଭାବୋତ୍ସବ (ଶରତ କାଳରେ) ମାନବ ମାତୃଶକ୍ତିର ଉପାସନା କରିବା ପୂର୍ବକ ସେହି ଶକ୍ତିରେ ଶକ୍ତିମନ୍ତ ହୋଇ ଜୀବନକୁ କର୍ମ ଚଞ୍ଚଳ ଓ ଆନନ୍ଦ ମୁଖର କରିବା ବିଧେୟ । ଏହା ଏ ଜଗତର ଏକ ପ୍ରଚଳିତ ଧାରା । ଶେଷରେ ଏତିକି କୁହାଯାଇପାରେ ପୌରାଣିକ ଯୁଗରେ ମହିଷାସୁର ଓ ତା’ର ଚରମାନଙ୍କ ଦୃଷ୍ଟିନେଇ ନାରୀଙ୍କୁ ନଦେଖି, ଦେବତାମାନଙ୍କ ଅମୃତ ମୟ ଦୃଷ୍ଟିରେ ଦେଖିଲେ ସେମାନେ ଆପେ ଆପେ ମାତୃରୂପରେ ବିଦ୍ୟମାନ ହେବେ । ସାର୍ଥକ ହେବ ନାରୀଜାତିର ପ୍ରତିକାତ୍ମକ ପୂଜା ଦୁର୍ଗାପୂଜାର ଉଦ୍ଦେଶ୍ୟ ।
ମୋ : ୯୪୩୭୨୨୫୬୮୯