୩ ବର୍ଷ ପରେ ସରୁନି ବି୍ରଜ୍ ନିର୍ମାଣ କାର୍ଯ୍ୟ: ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ

ଭବାନୀପାଟଣା : ରାଜ୍ୟ ସରକାର ନଦୀ ଆରପାରିରେ ଥିବା ଗାଁ ଗୁଡିକୁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ପୋଲ ନିର୍ମାଣ କରୁଛନ୍ତି । ହେଲେ ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ୩ ବର୍ଷ ପରେ ମଧ୍ୟ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ଲଗାଣବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ୪୦ରୁ ଊଦ୍ଧ୍ୱର୍ ଗାଁର ୩ହଜାର ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଥୁଆମୂଳରାମପୁର ବ୍ଲକ ସିଲେଟ ପଞ୍ଚାୟତ ଅନ୍ତର୍ଗତ ମାଳତି ପଦର କାନ୍ଦୁଲଗୁଡା ନିକଟସ୍ଥ ନାଗାବଳୀ ନଦୀରେ ।
ଦୀର୍ଘଦିନର ଦାବି ପରେ ନାଗାବଳୀ ନଦୀ ବ୍ରିଜ ନିର୍ମାଣ ପାଇଁ ୨୦୨୨-୨୩ ମସିହାରେ ଅର୍ଥ ମଞ୍ଜୁର ହୋଇଥିଲା । ଭବାନୀପାଟଣାର ଜଣେ ଠିକାଦାର କାମ ହାତେଇଥିବାବେଳେ ୨୦୨୩ ମସିହାରେ କାମ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଆଜକୁ ୩ ବର୍ଷ ହୋଇଥିଲେ ହେଁ ଏ ଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ ହୋଇ ପାରିଲାନାହିଁ । ଲୋକଙ୍କ ଯିବା ଆସିବା ପାଇଁ ଅସ୍ଥାୟୀ ପୋଲଟିଏ ମଧ୍ୟ ହୋଇନାହିଁ । ଯାହାଫଳରେ ଲୋକେ ବିପଦପୂର୍ଣ୍ଣ ଅବସ୍ଥାରେ ଚାରି ଫୁଟ ଗଭୀର ପାଣିରେ ଯିବା ଆସିବା କରୁଛନ୍ତି । ନାଗାବଳୀ ନଦୀ ବ୍ରିଜ ସମ୍ପୂର୍ଣ୍ଣ ନ ହେବା ଯୋଗୁଁ ଉକ୍ତ ଅଞ୍ଚଳର ୪୦ରୁ ଊଦ୍ଧ୍ୱର୍ ଗାଁର ହାରାହାରି ୩ହଜାର ପରିବାର ଜଳବନ୍ଦୀରେ ରହିଛନ୍ତି । ତେବେ ଏମାନଙ୍କୁ ପଞ୍ଚାୟତ ୩କି.ମି ହେଉଥିବାବେଳେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ୭୫କି.ମି ହେଉଛି । ନାଗାବଳୀ ନଦୀ ସମେତ ଅନେକ ଗୁଡ଼ାଏ ନଦୀ ରହିଥିବା ବେଳେ ସମ୍ପୂର୍ଣ୍ଣ ଭାବେ ମାଳତିପଦର, କାନ୍ଦୁଲ ଗୁଡା, ବିଳାମାଲ, ଖୁଟଖାଳ, ପାଜୀଖାଳ, ଝାଂଜି, ବଣ୍ଡେଲ ଦୂରବେଳଗୁଡା, ମାରଗୁମା, ମୁସପାନ, ସରମାଣ୍ଡି, ଦାଣ୍ଡପଦର, ରୁପେନ, ସେମିଖାଲ, ପୁଇଗୁଡ଼ା, ସର୍ଗିଗୁଡା, ଟୁରି ସିମେଲ, ସାଇମାସ୍କ, ବାତେରପଡ଼ା ଓ ପୀଡିଶାଲ, ଗାଁ ସେଇମ ୪୦ରୁ ଗାଁ ଲୋକଙ୍କ ପାଇଁ ଏହି ନଦୀ ମୁଖ୍ୟ ସମସ୍ୟା ପାଲଟିଛି । ଲଗାଣ ବର୍ଷା ଯୋଗୁଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଥୁଆମୂଳରାମପୁରକୁ ଯିବା ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି । ସେହିପରି ପଞ୍ଚାୟତରୁ ପିଡିଏସ୍ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା, ଗୋରୁ ଗାଇଙ୍କୁ ନଦୀ ପାର କରିବା, ରୋଗୀ, ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନାକୁ ଖଟିଆରେ ବୋହି ନେବା ଭଲି ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ପାଲଟିଛି । ତେବେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୨୦୨୩ ମସିହାରେ ଆରମ୍ଭ କରିଥିଲେ ସୁଦ୍ଧା ଏବେ ଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ କରି ପାରିନାହାନ୍ତି ବୋଲି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କାମକୁ ଠିକ୍ ଭାବରେ ତଦାରଖ କରୁନାହାନ୍ତି । ଯାହାଦ୍ୱାରା କାମ ମନ୍ଥର ଗତିରେ କାମ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ତେବେ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।