ଛାତ୍ରୀଙ୍କ ମୃତୁ୍ୟକୁ ପାଞ୍ଚ ଦିନ, କାର୍ଯ୍ୟାନୁଷ୍ଠାନ ଶୂନ
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାକୁ ୫ଦିନ ବୀତି ଯାଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚÿା ଘନେଇବାରେ ଲାଗିଛି । ଏପରି ସ୍ଥିତିରେ ଆଜି ପୂର୍ବତନ ପୋଲିସ ଅଫିସର ତଥା ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବି ଶରତ ଚନ୍ଦ୍ର ବୁରୁଦା ମୃତ ଦୁଇ ଛାତ୍ରୀଙ୍କ ପରିବର ସହ ଭେଟିଛନ୍ତି । ତଦନ୍ତରେ ଶିଥିଳତା ଯୋଗୁଁ ଘଟଣାର ସତ୍ୟତା ସାମ୍ନାକୁ ଆସୁନାହି । ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଛେଦ ରିପୋର୍ଟ ଆସି ନଥିବା ବେଳେ ଏହି ଘଟଣାରେ ପୋଲିସ କେବଳ ନାମକୁ ମାତ୍ର ଏକ ନିଖୋଜ ଏବଂ ଅପମୃତୁ୍ୟ ମାମଲା ରୁଜ୍ଜୁ କରି କାମ ସାରିଦେଇଛି । ପ୍ରକୃତରେ ପୋଲିସ ଘଟଣାକୁ ନେଇ ସଠିକ ତଦନ୍ତ କଲେ ଏହି ମାମଲାର ସତ୍ୟତା ଅତି ସହଜରେ ସାମ୍ନାକୁ ଆସିପାରିବ ବୋଲି ମତ ରଖିଛନ୍ତି ଶ୍ରୀ ବୁରୁଦା । ଶ୍ରୀ ବୁରୁଦା ଆଜି ନିଜେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଉଭୟ ମୃତ ଛାତ୍ରୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କେବଳ ଏତିକି ନୁହେ ବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ବିଭିନ ବିଷୟରେ ପଚାରି ବୁଝିଥିଲେ । ତେବେ ପାରିପାର୍ଶ୍ୱିକ ପରିସ୍ଥିତି ଓ ଲୋକଙ୍କ ଠାରୁ ମିଳିଥିବା ତଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହା ଏକ ରହସ୍ୟ ମୟ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଶ୍ରୀ ବୁରୁଦା ଅନୁମାନ କରୁଥିବା ପ୍ରକାଶ କରିଛନ୍ତି । ଶ୍ରୀ ବୁରୁଦାଙ୍କ କହିବା ଅନୁଯାୟୀ ଉଭୟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ସମୟର ଫୋଟ ଗୁଡିକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ମନେ ହେଉନାହି । ଏପରିକି ସ୍ଥାନୀୟ ଅଞ୍ଚଳର କିଛି ମହିଳା ଓ ପୁରୁଷ ଘଟଣାକୁ ହତ୍ୟାକାଣ୍ଡ ବୋଲି ସିଧା ସଳଖ ତାଙ୍କ ନିକଟରେ ପ୍ରକାଶ କରିଥିବା ସେ କହିଛନ୍ତି । କେବଳ ଏତିକି ନୁହେ ସେ ଜଣେ ପୂର୍ବତନ ପୋଲିସ ଅଧିକାରି ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଏହି ଜଘନ୍ୟ କାଣ୍ଡ ଘଟାଇବା ସହ ଉଭୟ ଛାତ୍ରୀ ଦ୍ୱୟଙ୍କୁ ନୃଶଂସ ଭାବେ ହତ୍ୟା କରି ମର ଶରୀରକୁ ଝୁଲାଇ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିବା ଶ୍ରୀ ବୁରୁଦା ଅନୁମାନ କରୁଥିବା ପ୍ରକାଶ କରିଛନ୍ତି । ନିଜେ ଶ୍ରୀ ବୁରୁଦା ଉକ୍ତ ସ୍ଥାନକୁ ଯାଇଥିବା ବେଳେ ସେଠାରେ ଛାତ୍ରୀ ଦ୍ୱୟଙ୍କ ମରଶରୀରୀର ପଞ୍ଚନାମା ସମୟରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କ ସହ ସେ ଭେଟି ସେହି ସମୟର ସମ୍ପୂର୍ଣ ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ପଞ୍ଚନାମା ସମୟରେ ଉପସ୍ଥିତ ଥିବା ଲୋକେ ଶ୍ରୀ ବୁରୁଦାଙ୍କ ନିକଟରେ ପ୍ରକାଶ କରିଛନ୍ତି ଯେ, ଛାତ୍ରୀ ଦ୍ୱୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ଏପରିକି ତାଙ୍କ ହାତ, ମେରୁ ହାଡ, ଗୋଡ ଆଦି ଭାଙ୍ଗି ହାଡ ବାହାରକୁ ଦେଖା ଯାଉଥିଲା । ଏହା ସହ ଜଣେ ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ସ୍ଥାନୀୟ ଲୋକେ ଦେଖି ସେହି ସମୟରେ ଉତକ୍ଷିପ୍ତ ହୋଇଥିବା ମଧ୍ୟ ଉପସ୍ଥିତ ଥିବା ଲୋକେ ପ୍ରକାଶ କରିଛନ୍ତି । ତେବେ ଘଟଣାର ସଠିକ ତଦନ୍ତ ହେଉ ନାହି, ତଦନ୍ତ ହେଲେ ପୋଲିସ ବହୁତ ପ୍ରମାଣ ପାଇ ପାରିବ । କାରଣ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏବଂ ଲୋକଙ୍କ ନିକଟରୁ ଯାହା ସୂଚନା ମିଳୁଛି, ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମେ ହତ୍ୟା କରାଯାଇଥିବା ବେଳେ ତାଙ୍କ ଶରୀରୀ ମଧ୍ୟ ନଷ୍ଟ ହେବାକୁ ବସିଥିଲା । ସେହିପରି ଅନ୍ୟ ଜଣଙ୍କୁ ତୁରନ୍ତ ହତ୍ୟା କରିବ ପରେ ଉଭୟଙ୍କୁ ଗଛରେ ଝୁଲାଇ ଦିଆଯାଇଛି ବୋଲି ସେ ଅନୁମାନ କରୁଛନ୍ତି । ନିଜେ ପୋଲିସ ଘଟଣାର ପ୍ରମାଣ ଖୋଜିବା ବଦଳରେ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅନୁମାନ ହେଉଛି ବୋଲି ଶ୍ରୀ ବୁରୁଦା ପ୍ରକାଶ କରିଛନ୍ତି । ଏହା ସହ ମର ଶରୀରୀ ନିକଟରୁ ଗୋଟିଏ ମୋବାଇ ଜବତ ହୋଇଥିବା ବେଳେ ତାହା ମଧ୍ୟରେ କୌଣସି ସିମ ନଥିଲା । ଉକ୍ତ ମୋବାଇଲରୁ ମଧ୍ୟ ଅନେକ ପ୍ରମାଣ ମିଳି ପାରିବ ବୋଲି ଶ୍ରୀ ବୁରଦା ପ୍ରକାଶ କରିଛନ୍ତି । ଛାତ୍ରୀ ଦ୍ୱୟ ନିଖୋଜ ହେବ ପୂର୍ବରୁ ସହପାଠିଙ୍କ ସହିତ ଉକ୍ତ ଦୁଇ ଛାତ୍ରୀ ଏକ ଭୋଜି କରିଥିଲେ । ସେହି ଭୋଜି ସମୟରେ କିଛି ଯୁବକ ମଧ୍ୟ ସେଠାକୁ ଆସିଥିବା ବେଳେ ସେଠାରେ ଫୋଟ ଓ ଭିଡିଓ ଭାଇରାଲ କରିଦେବାକୁ କିଛି ଯୁବକ ଧମକ ଦେଇଥିବା ବେଳେ ଉକ୍ତ ଦିନ ସନ୍ଧ୍ୟା ସମୟରୁ ଦୁଇ ଛାତ୍ରୀ ନିଖୋଜ ହୋଇଥିଲେ ବୋଲି ମୃତ ଛାତ୍ରୀ ଦ୍ୱୟଙ୍କ ସାହାପାଠୀ ମାନେ ସ୍ଥାନୀୟ ଲୋକଙ୍କ ନିକଟରେ ପ୍ରକାଶ କରିଥିବା ଜଣା ପଡିଛି । ତେବେ ଏତେ ସବୁ ପ୍ରମାଣ ଥିବା ବେଳେ ପୋଲିସ କିପରି ଘଟଣାର ଟେର ପାଉନି ବୋଲି ଶ୍ରୀ ବୁରୁଦା ପ୍ରଶ୍ନ କରିଛନ୍ତି । ଏହି ବିଷୟକୁ ନେଇ ଶ୍ରୀ ବୁରୁଦା କାଲିମେଳା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସେଠାରେ ଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଯେପରି ଯଥା ଶୀଘ୍ର ଏହି ଘଟଣାର ଶବ ବ୍ୟବଛେଦ ରିପୋର୍ଟ ଆସିବ ସେନେଇ ସେ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଆଦିବାସୀ ମହା ସମାଜର ସଭପତି ବନ୍ଧୁ ମୁଦୁଲି ଏବଂ ସ୍ଥାନୀୟ କୋୟ ସମାଜର କିଛି ସଦସ୍ୟ ଓ ନେତୃ ବର୍ଗ ଉପସ୍ଥିତ ଥିଲେ । ତେବେ ଶ୍ରୀ ବୁରୁଦା ପ୍ରକାଶ କରିଛନ୍ତି ଯେ, ଆସନ୍ତା କାଲି ଏନେଇ ପୁନଃ ଏକ ମାମଲା ରୁଜ୍ଜୁ କରିବୁ ଏବଂ ଏସପିଙ୍କ ଦ୍ୱାରସ୍ତ ହେବୁ । ଏହାର ୪୮ ଘଣ୍ଟା ମଧ୍ୟରେ ପୋଲିସ ଘଟଣାକୁ ନେଇ ଉଚିତ ତଦନ୍ତ ନକଲେ ଓ ଦୋଷୀଙ୍କୁ ଗିରଫ ନକରେ ତେବେ ଆମେ ରାଜ ରାସ୍ତାକୁ ଓଲହାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି । କାରଣ ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବହ୍ନି ଜଳୁଛି, ପୋଲିସ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।