ସଡ଼କ ସୁରକ୍ଷା ମାସ ପାଳନ ପ୍ରସ୍ତୁତି : ଦୁର୍ଘଟଣା ହ୍ରାସ ନେଇ ଆଲୋଚନା

ଭୁବନେଶ୍ୱର : ଜାନୁଆରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଏ ବର୍ଷ ସଚେତନତା ଓ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜ ପଥ ମନ୍ତ୍ରାଳୟ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ପାଳନ କରାଯିବା ନିମନ୍ତେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଛି । ଅନୁଷ୍ଠିତ ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ । ଲୋକସେବା ଭବନରେ ରାଜ୍ୟ ପୁଲିସ୍ ମହାନିଦେ୍ର୍ଦଶକ ୱାଇବି ଖୁରାନିଆଙ୍କ ସମେତ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ, ପରିବହନ କମିଶନରତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅମିତାଭ ଠାକୁରଙ୍କ ସମେତ ପରିବହନ ବିଭାଗର ଅନ୍ୟ ପଦାଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସଡ଼କ ଦୁର୍ଘଟଣା କମାଇବା ସହିତ ଏବଂ ସଡକ ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟାକୁ  ହ୍ରାସ କରିବାକୁ ଗୁରୁତ୍ୱ ଦିଆଯାଇଥିଲା ।