ହବିଷ୍ୟାଳୀ ବ୍ରତକାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ

 ପୁରୀ : ଚଳିତ ବର୍ଷର ହବିଷ୍ୟାଳୀ ବ୍ରତ ଅକ୍ଟୋବର ୭ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖରେ ଶେଷ ହେବ । ରାଜ୍ୟର ବିଭିନ୍ନ ଜିଲ୍ଳାର ବିଭିନ୍ନ ସ୍ଥାନରୁ ମା’ମାନେ ହବିଷ ପାଳନ ପାଇଁ ଆସିବେ । ତେଣୁ ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବା ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରକାଶ କରିଛନ୍ତି । ଟାଉନହଲ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଶ୍ରୀ ପରିଡ଼ା ଯୋଗଦେଇ କାର୍ତ୍ତିକ ମାସରେ ମା’ମାନେ ଶ୍ରୀକ୍ଷେତ୍ର ଧାମରେ ରହି ଏକମାସ ବ୍ରତ ଓ ତପ କରିବାର ମାନସିକତା ନେଇ ଆସୁଛନ୍ତି । ସରକାରଙ୍କର ଏହି ନିଦେ୍ର୍ଦଶ ଓ ପ୍ରଶାସନର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକୁ ଶୃଙ୍ଖଳିତ ଭାବେ କରିବାର ବ୍ୟବସ୍ଥା କରାଯାଇଛି । ତେବେ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ୍ । ହବିଷ୍ୟାଳୀ ବ୍ରତ କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ହବିଷ୍ୟାଳୀ କେନ୍ଦ୍ର ଅନୁସାରେ ପଞ୍ଜୀକରଣ, ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ଇତ୍ୟାଦି ସଂପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଯୋଗଦେଇ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରା, ଡ଼େପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବିବେକାନ୍ଦ ସାହୁ, ସହଦେବ ସାହୁ, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ ।