ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଧାରଣା 

ନୂଆପଡା:  ନୂଆପଡ଼ା ବ୍ଲକ କୋଟେନଚୁଆଁ ଥିବା ଏକମାତ୍ର ବାଳିକା ଉଚ୍ଚବିଦ୍ୟାଳୟରେ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ ସ୍ଥାପନ ଦାବି ଜୋର ଧରିଛି । ଏ ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଲୋକେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।
ପ୍ରକାଶ ଯେ, ୧୯୫୮ରେ କୋଟେନଚୁଆଁ ଗ୍ରାମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆଦିବାସୀ ପିଲାଙ୍କୁ ମାଗଣାରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ସେବାଶ୍ରମ ଖୋଲିଥିଲେ । ୧୯୯୬ରେ ସେବାଶ୍ରମକୁ ଉନ୍ନିତ କରି କନ୍ୟାଶ୍ରମ ଖୋଲାଯାଇଥିଲା । ଏଥିରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବାଳିକାଙ୍କୁ ପାଠପଢା ହେଉଥିଲା । ୨୦୦୬ରେ ଏହା ଉନ୍ନିତ ହାଇସ୍କୁଲ ହୋଇଥିଲା । ଏବେ ପ୍ରଥମରୁ ଦଶମ ଶ୍ରେଣୀରେ ପ୍ରାୟ ୭ଶହ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ଏଠି ନୂଆପଡ଼ା ବ୍ଲକର ଆଦିବାସୀ ଛାତ୍ରୀମାନେ ମାଗଣାରେ ରହିବା, ଖାଇବା ସହ ପାଠ ପଢୁଛନ୍ତି । କିନ୍ତୁ ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ସୁବିଧା ନଥିବାରୁ ମାଟ୍ରିକ୍ ପାସ୍ କରି ଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବଞ୍ଚôତ ହେଉଛନ୍ତି । ଏଣୁ ଏଠି ଏକ ମହିଳା ମହାବିଦ୍ୟାଳୟ ଖୋଲିବାକୁ ଦାବି କରିଛନ୍ତି । କୋଟେନଚୁଆଁ ଗାଁରେ ବସ୍ତିପଡ଼ା ଓ ଭୁଞ୍ଜିଆପଡ଼ା ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଭୁଞ୍ଜିଆପଡ଼ା ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ସମୟରେ ବିଭାଗୀୟ ଅଧିକାରୀ ଖାମଖିଆଲି ମନୋଭାବ ହେତୁ ମୁଖ୍ୟବସ୍ତିର ପିଲାଙ୍କୁ ଭୁଞ୍ଜିଆପଡ଼ା ଓ ଭୁଞ୍ଜିଆପଡ଼ାର ପିଲାଙ୍କୁ ବସ୍ତିପଡ଼ା କେନ୍ଦ୍ରରେ ଯୋଡ଼ି ଯାଇଥିଲା । ଏବେ କୋମଳମତି ପିଲା ପ୍ରାୟ ୨କିମି ରାସ୍ତା ଅତିକ୍ରମ କରି କେନ୍ଦ୍ରକୁ ଯାତାୟାତ କରି ଅସୁବିଧା ଭୋଗୁଛନ୍ତି । ଅନେକ ସମୟରେ ପିଲାମାନେ କେନ୍ଦ୍ରକୁ ଯାଇନପାରି ପ୍ରାକ୍ଶିକ୍ଷା ସହ ଅଣ୍ଡା, ଛତୁଆ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ ଦୁଇ କେନ୍ଦ୍ର ପିଲାଙ୍କୁ ଅଦଳବଦଳ କରିବାକୁ ଦାବି ହେଉଛି । କୋଟେନଚୁଆଁ ଭୁଞ୍ଜିଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ୨ରେ ସହାୟିକା ତଥା ରୋଷେୟା ଭାବେ ବରଗଡ଼ ଜିଲ୍ଲାର ମାଧବୀ ପଟେଲଙ୍କୁ ନିଯୁକ୍ତି ଦେଇଛନ୍ତି । ଗାଁରେ ଅନେକ ଯୋଗ୍ୟ ମହିଳା ରହିଥିଲେ ବି ବାହାର ଜିଲ୍ଲାର ମହିଳାଙ୍କୁ ନିଯୁକ୍ତି ମିଳିଛି । ସେ ଅସ୍ଥାୟୀ ଭାବେ ନିଜ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ଫଳରେ କେନ୍ଦ୍ର ସୁପରିଚାଳନାରେ ବହୁ ଅସୁବିଧା ହେଉଛି ।

ଏଣୁ ଅଙ୍ଗନବାଡ଼ି କର୍ମୀ ମାଧବୀଙ୍କୁ ବହିଷ୍କାର କରି ଗାଁର ଜଣେ ଯୋଗ୍ୟ ମହିଳାଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଏହି ସବୁଦାବିର ସମାଧାନ ପାଇଁ କୋଟେନଚୁଆଁ ପଞ୍ଚାୟତ ନାଏବସରପଞ୍ଚ ବାଳକୁମାର ରାଉତଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ମଧ୍ୟାହ୍ନରେ ମାଜିଷ୍ଟେଟ ଭାବେ ନୂଆପଡ଼ା ତହସିଲଦାର ପ୍ରଣବ ରଂଜନ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ପାତ୍ର, ଆଇଆଇସି ଗଙ୍ଗାଧର ମେହେର ପ୍ରମୁଖ ପହଞ୍ଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ଏ ନେଇ ତହସିଲଦାର ଶ୍ରୀ ସାହୁଙ୍କ ଏକ ଏକ ଦାବିପତ୍ର ଦେଇଛନ୍ତି । କିନ୍ତୁ ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି  । ଏହି ଧାରଣାରେ ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପସିଂ ମାଝି, ଦୁର୍ବାସା ରାଉତ, ମୋଟାସିଂ ମାଝି, ପ୍ରେମସିଂ ରାଉତ, ରମେଶ ମାଝି, ରୁଧନସାଏ ମାଝି, ନନ୍ଦୁସିଂ ମାଝି, ରୂପସିଂ ମାଝି, ଓଁକାରସିଂ ମାଝି, ଖେଦୁରାମ ରାଉତ, ରୁକ୍ମଣ ଅଘରିଆ, କପୁର୍ଜନ ମାଝି, ଗୁମାନ ଅଘରିଆ, ଇନ୍ଦଲ ରାଉତ ପ୍ରମୁଖ ଧାରଣାରେ ବସିଛନ୍ତି ।