ସମସ୍ୟାଘେରରେ ବଳରାମପୁର ଅଙ୍ଗନବାଡି କେନ୍ଦ୍ର 

 କବାଟବନ୍ଧ: ମହିଳା ଓ ଶିଶୁବିକାଶ କ୍ଷେତ୍ରରେ ଅଙ୍ଗନୱାଡ଼ି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିମିକା ରହିଛି । ସାଧାରଣ ଶିଶୁ, ସ୍ୱାସ୍ଥ୍ୟ, ପୃଷ୍ଟି ଓ ପ୍ରାକ ବିଦ୍ୟାଳୟ ଶିକ୍ଷା, ମାତୃହାର ରୋକିବା ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍କୁଲ ମୁହାଁ କରାଇବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଉପରେ ନ୍ୟସ୍ତ ରହିଛି । 
ଧର୍ମଶାଳା ବ୍ଲକ ଅଧୀନ ତାଳଜଙ୍ଗ ପଂଚାୟତ ଅନ୍ତର୍ଗତ ବଳରାମପୁର-୨ ଅଙ୍ଗନୱାଡ଼ି କେନ୍ଦ୍ରଟି ଏଭଳି ଅବ୍ୟବସ୍ଥା ଘେରରେ ରହିଛି ଯେଉଁଟିକୁ ଯିବାକୁ ଶିଶୁ ଅମଙ୍ଗ ହେଉଛି । ୨୫ଜଣ ଶିଶୁଙ୍କୁ ନେଇ ସେଣ୍ଟର ଚାଲିଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ବିଭିନ୍ନ ସମସ୍ୟା ଛନ୍ଦିହୋଇ ରହିଛି । ପାନୀୟ ଜଳ ସମସ୍ୟା,ବିଦୁ୍ୟତ,ଗୃହ ସମସ୍ୟା ନକହିବା ଭଲ । ଗ୍ରୀଷ୍ମଦିନ ଚାଲୁ ରହିଥିବାରୁ କୋମଳମତି ଶିଶୁ ଗରମରେ କେବଳ ହନ୍ତସନ୍ତ ହେଉ ନାହାନ୍ତି କର୍ମଚାରୀ ମଧ୍ୟ ସମାନ ଅବସ୍ଥା ଭୋଗ କରୁଛନ୍ତି । ଏଠାରେ ଫ୍ୟାନ,ବଲ ଝୁଲୁଛି । ହେଲେ  ବିଦୁ୍ୟତ ସଂଯୋଗ ହୋଇନାହିଁ । ଗୃହ ଉପରେ ଟାଙ୍କି ରହିଛି । ପାଣି ବ୍ୟବହାର କରିବା ପାଇଁ ପାଇପ ସଂଯୋଗ ହୋଇଛି ହେଲେ ନଳକୂପ କିମ୍ବା ବୋରିଂଟିଏ ନାହିଁ । ସେଣ୍ଟରର ସହାୟିକା ୩୦୦ ମିଟର ଦୂରଯାଇ ପାଣି ଆଣି ପିଲାଙ୍କୁ ରୋଷଇ କରିଦେଉଛନ୍ତି । ଶୌଚାଳୟ ଅବସ୍ଥା ନକହିବା ଭଲ । ଶୌଚାଳୟର ଲାଗିଥିବା ସରଞ୍ଜାମ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି । ଘରକାନ୍ଥ ଫାଟି ଗଲାଣି । ଗୃହ ଚଟାଣରେ ଟାଇଲ ଭାଙ୍ଗିରୁଜି ଖଣ୍ଡ ଖଣ୍ଡ ହୋଇ ପଡ଼ିରହିଛି । ଶରୀସୃପ ରହିବାର ସମ୍ଭାବନା ରହିଛି । ଗୃହର ବାହାର ସ୍ଥାନରେ ପାଣି ଏବଂ ବିଦୁ୍ୟତ ସଂଯୋଗ ସରଞ୍ଜାମ ଚୋରି ହୋଇଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ଏସଂକ୍ରାନ୍ତରେ ଧର୍ମଶାଳା ସିଡ଼ିପିଓଙ୍କର ମତାମତ ନେବାରୁ ସେ କହିଛନ୍ତି ଏହା ଆମର ଦାୟିତ୍ୱ ନୁହେଁ ବ୍ଲକର କାର୍ଯ୍ୟ । ଯାହା ଆଶ୍ଚର୍ଯ୍ୟ କରିବା ପରି ଲାଗୁଛି । ଅଙ୍ଗନୱାଡ଼ି କେନ୍ଦ୍ରଟି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନରେ ଚାଲୁଥିବା ଏବଂ ସଂପୃକ୍ତ ବିଭାଗ ହିଁ କେନ୍ଦ୍ରର ଭଲମନ୍ଦ ବୁଝିବାର ଦାୟିତ୍ୱରେ ଥିବା ବେଳେ ସମସ୍ୟା ଦୂର କରିବା କ୍ଷେତ୍ରରେ ସଂପୃକ୍ତ ବିଭାଗର କ’ଣ କିଛି ଦାୟିତ୍ୱ ନାହିଁ ? ବ୍ଲକର ଦାୟିତ୍ୱ ହୋଇଥାଇପାରେ କିନ୍ତୁ ବ୍ଲକ ପ୍ରଶାସନକୁ ଅବଗତ କରିବା ଏବଂ ସମସ୍ୟା ଦୂର କରିବାରେ କ’ଣ ଅଧିକାରୀଙ୍କ ଉତର ଦାୟିତ୍ୱ ନାହିଁ ।ଏହା ଉପରେ ଜିଲା ପ୍ରଶାସନ ଦୁଷ୍ଟି ଦେବାକୁ ଅଭିଭାବକ ଦାବି କରିଛନ୍ତି ।