ହାଇକୋର୍ଟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ; ସବୁ ବିଶ୍ୱବିଦ୍ୟାଳୟର ତଥ୍ୟ ତଲବ

ହାଇକୋର୍ଟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ ; ସବୁ ବିଶ୍ୱବିଦ୍ୟାଳୟର ତଥ୍ୟ ତଲବ

କେବଳ କିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଅନୁଚିତ୍‌ 

ଭୁବନେଶ୍ୱର : ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ । ତେବେ କେବଳ କିଟ୍‌କୁ କାହିଁକି ବୋଲି ପ୍ରଶ୍ନ କରି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଯେଉଁଠି ବି ଯେତେଜଣ ଆତ୍ମହତ୍ୟା କରିଛନ୍ତି ସେନେଇ ସବିଶେଷ ତଥ୍ୟ ମାଗିଛନ୍ତି । କେବଳ କିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । 


     କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିସନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଅବଧି ବୃଦ୍ଧିର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସକେ ପାଣିଗ୍ରାହୀ ଉଚ୍ଚଶିକ୍ଷା ବିଭାଗରେ ବ୍ୟବସ୍ଥାଗତ ତ୍ରୁଟି କେଉଁଠି ରହିଛି ତାହାର ତଥ୍ୟ ସମ୍ବଳିତ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ କିଟ୍‌ ଏବଂ କିସ୍‌ ମଧ୍ୟରେ ସୀମିତ ନରହି ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର ତଥ୍ୟ ହାଇକୋର୍ଟଙ୍କୁ ଜଣାଇବା ପାଇଁ ସେଥିରେ କୁହାଯାଇଛି । ବିଚାରପତି ତାଙ୍କ ଶୁଣାଣିରେ ସ୍ପଷ୍ଟ କହିଛନ୍ତିଯେ, ବର୍ତ୍ତମାନର ମାମଲାକୁ କୋର୍ଟ ବିରୋଧାତ୍ମକ ବୋଲି ମନେ କରୁନାହାନ୍ତି । ହାଇକୋର୍ଟଙ୍କ ବିଚାରରେ ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମାନ ନୋଟିସ୍‌ ଜାରି ହେବା ଉଚିତ୍‌ । ଏ ସମ୍ପର୍କିତ ବ୍ୟବସ୍ଥାର ସଠିକ୍‌ ଅନୁପାଳନ ହେଉଛି ନା ନାହିଁ ତାହା କୋର୍ଟ ଜାଣିବାର ଆବଶ୍ୟକତା ଅଛି ।