୧୧ରୁ ଟି-୧୦ କ୍ରିକେଟ ଚାମ୍ପିଅନସିପ୍
ପୁରୀ : ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଟି-ଯେନ୍ ଟେନିସ୍ ବଲ୍ କ୍ରିକେଟ ଚମ୍ପିୟାନସିପ୍ । ଶ୍ରୀଜଗନ୍ନାଥ ଦର୍ଶନ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହି ତୃତୀୟ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ପୁରୀର ଜଗନ୍ନାଥ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ମସିହାରେ ସର୍ବଭାରତୀୟ ଟି-ଟେନ୍ ଟେନିସ୍ବଲ୍ କ୍ରିକେଟ ଆସୋସିଏସନ ପକ୍ଷରୁ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହୋଇଥିବା ବେଳେ, ଦ୍ୱିତୀୟ ଚାମ୍ପିଅନସିପ୍ ଗୋଆରେ ଅନୁଷ୍ଠିତ ହୋଇଥିଲା । ପୁରୀରେ ୧୧ ତାରିଖ ଦିନ ହେବାକୁ ଥିବା ଏହି ୪ଦିନିଆ ତୃତୀୟ ସର୍ବଭାରତୀୟ ଟି-ଟେନ୍ ଟେନିସ ବଲ୍ ଚାମ୍ପିଅନସିପ୍ରେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ୨୫ଟି ପୁରୁଷ ଦଳ ଓ ୬ଟି ମହିଳା ଦଳ ଭାଗ ନେବେ । ପ୍ରତ୍ୟହ ପୂର୍ବାହ୍ନ ୮ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଦିବାରାତ୍ର ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ସଂସ୍ଥା ଶ୍ରୀଜଗନ୍ନାଥ ଦର୍ଶନ ଚାରିଟେବୁଲ୍ ଟ୍ରଷ୍ଟର ସଭାପତି ଦଇତାପତି ଭବାନୀ ଦାସ ମହାପାତ୍ର ପ୍ରକାଶ କରିଛନ୍ତି । ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସମହାପାତ୍ର, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସୂଚନା ଦେଇ କହିଥିଲେ ଯେ, ପ୍ରତିଯୋଗିତା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ୧୦ ତାରିଖ ଦିନ ଏକ ଉଦ୍ଘାଟନ ଶୋଭାଯାତ୍ରା ସିଂହଦ୍ୱାର ଠାରୁ ବାହାରି ବଗଲା ଧର୍ମଶାଳା ପର୍ଯ୍ୟନ୍ତ ଯିବ । ୧୧ ତାରିଖ ସନ୍ଧ୍ୟାରେ ଉଦ୍ଘାଟନୀ ମହୋସôବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିରେ ଆକର୍ଷଣୀୟ ପ୍ରତିଭାମାନେ ଭାଗ ନେବେ । ଏହି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସାଡ଼ର ଭାରତର ପୂର୍ବତନ କ୍ରିକେଟ ଖେଳାଳୀ ଦେବାଶିଷ ମହାନ୍ତି ଉପସ୍ଥିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜକିଶୋର ଦାସ, ସନ୍ତୋଷ ପ୍ରଧାନ, ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।