ଛାତ୍ରୀଙ୍କୁ ଅସଦାଚରଣ, ଥାନାରେ ବିଜ୍ଞାନ ଶିକ୍ଷକ ଅଟକ
ରାଜନଗର : ରାଜ୍ୟରେ ଅଧ୍ୟାପକ ଓ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଟି ହାରାଶ ହେବା ଓ ଆତ୍ମହତ୍ୟା କରିବାର ଘଟଣା ଥମିନଥିବା ବେଳେ ରଜାନଗର ବ୍ଲକରେ ଜଣେ ବିଜ୍ଞାନ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀମାନଙ୍କ ଅଭିଯୋଗ ଚର୍ଚ୍ଚାର ଖୋରାକ ଯୋଗାଇଛି । ଏହି ବ୍ଲକ ଡାଙ୍ଗମାଳସ୍ଥିତ ସରକାରୀ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଧିକ ନାବାଳିକା ଛାତ୍ରୀଙ୍କୁ ରସିକିଆ ବିଜ୍ଞାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜନୈ÷କା ଛାତ୍ରୀଙ୍କ ମାଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ, ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ତାଙ୍କ ଝିଅକୁ ଅଶ୍ଳୀଳ ଇଙ୍ଗିତ କରିବା, ବିଭିନ୍ନ ସ୍ଥାନରେ ଉଦେ୍ଦଶ୍ୟମୂଳକ ଭାବରେ ଛୁଇଁବା ଯାହାକି ପ୍ରକାଶ କରିହେବ ନାହିଁ । କେବଳ ତାଙ୍କ ଝିଅ ନୁହେଁ, ତାଙ୍କ ଝିଅକୁ ଛାଡି ଅନ୍ୟ ୧୨ଜଣ ଛାତ୍ରୀଙ୍କୁ ସେହିଭଳି ବ୍ୟବହାର କରିଛନ୍ତି । ଘରେ କହିଲେ ପରୀକ୍ଷାରେ ଫେଲ କରିଦେବେ ବୋଲି ଛାତ୍ରୀମାନଙ୍କୁ ଧମକ ଦେଇଥିବା ନେଇ ଦର୍ଶାଇଛନ୍ତି । ଛାତ୍ରୀ ଜଣକ ଅନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ । ସଂପୃକ୍ତ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ମାନସରଂଜନ ମିଶ୍ରଙ୍କୁ ମୋବାଇଲ ଯୋଗେ ଜଣାଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଶନିବାର ଦିନ ବିଦ୍ୟାଳୟକୁ ଗଲେ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରୀମାନଙ୍କୁ ଡାକି ଘଟଣା ସଂପର୍କରେ ବୁଝାଯିବ ବୋଲି କହିଥିଲେ । ଶନିବାର ଦିନ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ପରିଚାଳନା କମିଟିର କର୍ମକର୍ତ୍ତା, ଅଭିଭାବକ ଓ ଛାତ୍ରୀମାନଙ୍କୁ ଡାକି ଆଲୋଚନା କରିଥିଲେ । ଏହାପରେ ଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ଡାକି ପଚାରିବାରୁ ସେ ଏହାକୁ ସ୍ୱୀକାର କରିବା ସହ ଭବିଷ୍ୟତରେ ଆଉ ଭୁଲ କରିବେ ନାହିଁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ କହିଥିଲେ । ଅଧିକ ଏସଂପର୍କରେ ପଚାରିଲେ ଆତ୍ମହତ୍ୟାର ଧମକ ଦେଇଥିଲେ । ପରିଚାଳନା କମିଟି ସଭାପତି ଘଟଣାର ଗୁରୁତ୍ୱକୁ ଅନୁଭବ କରି ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସିଙ୍କୁ ଫୋନ ଯୋଗେ ଜଣାଇଥିଲେ । ଆଇଆଇସି ବିମଳକୁମାର ମଲ୍ଲିକ ପୁଲିସ କର୍ମଚାରୀଙ୍କୁ ନେଇ ବିଦ୍ୟାଳୟରେ ପହଞ୍ଚି ଚାଲିଥିବା ଅଭିଭାବକମାନଙ୍କ ଆଲୋଚନା ଅଂଶଗ୍ରହଣ କରି ଘଟଣା ସଂପର୍କରେ ପଚାରି ବୁଝିଥିଲେ । ପରେ ବିଜ୍ଞାନ ଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ଥାନାକୁ ନେଇ ଯାଇଛନ୍ତି ।