ହିଞ୍ଜିଳିରେ ୫୭୨ ଜଣଙ୍କୁ ସ୍ଥାନାନ୍ତର 


ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ପୈାର ଓ ବ୍ଳକ ପ୍ରଶାସନ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି ହୋଇଛି । ଏହା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗୁରୁବାର ଡୁଡା ପିଡି ରବିନ୍ଦ୍ର କୁମାର ପଟେଲ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି । ମଧ୍ୟାନ୍ନ ସୁଦ୍ଧା ସ୍ଥାନୀୟ ବ୍ଲକର ୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୩୨୨ ଜଣ ଓ ପୌରାଞ୍ଚଳରେ ୨୫୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେହିପରି ୧୪ ପ୍ରସୁତି ମହିଳା ଙ୍କୁ ମଧ୍ୟ ସ୍ଥାନୀୟ ଉପଖଣ୍ଡ ଚିକିସôାଳୟରେ ରଖାଯାଇଛି । ଶୂନ୍ୟ ମୃତାହତ,ସ୍ଥାନାନ୍ତର ଓ ଉଦ୍ଧାରକାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି । ରୋଗୀ, ବୃଦ୍ଧବୂଦ୍ଧା, ପ୍ରସୂତି, ଦୁର୍ବଳ ଶିଶୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।କୌଣସି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଲେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯଥାଶୀଘ୍ର ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣା ପ୍ରତି ନଜର ରଖିଛନ୍ତି ।