ସେବା କାର୍ଯ୍ୟକ୍ରମରେ ଯୋଗ ଦେଲେ ଯୋଗାଣ ମନ୍ତ୍ରୀ
ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ଆସି ଢେଙ୍କାନାଳ ନଗର ମଣ୍ଡଳ ଦ୍ୱାରା ଆୟୋଜିତ "ଏକ୍ ପେଡ୍ ମା' କେ ନାମ୍-୨.୦ ଅଭିଯାନ'ରେ ସ୍ଥାନୀୟ କୁଞ୍ଜକାନ୍ତ ପୁଷ୍କରିଣୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ । ସେଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ପୁଷ୍କରିଣୀର ସୌନ୍ଦର୍ଯକରଣ ସହ ଚାରୋଟି ବୋଟ୍ ଚାଳନା ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କର, ଉପଜିଲ୍ଲାପାଳ ବିଭୁଦତ ପଟ୍ଟନାୟକ ମନ୍ତ୍ରୀଙ୍କ ପ୍ରତିନିଧି ସନ୍ତୋଷ କୁମାର ରାଉତ, ସମସ୍ତ କାଉନ୍ସିଲର ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଗଁଦିଆ ବ୍ଲକ୍ ଅନ୍ତର୍ଗତ ପୋରୁହଖୋଜ ପଂଚାୟତ ଠାରେ ଭାରତୀୟ ଜନତା ପାର୍ଟି ଓ ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ପାତ୍ର ପହଞ୍ଚô ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରି ଧନ୍ୟବାଦ ଦେଇଥିଲେ । ଶିବିରରେ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଜିଲ୍ଲା ସାଧାରଣ ସଂପାଦକ ତଥା ପୋରୁହଖୋଜ ସରପଂଚ ରତିକାନ୍ତ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମଧ୍ୟାହ୍ନରେ ପୋରୁହଖୋଜ ଗଁଦିଆ ବ୍ଲକ୍ ପରିସରରେ ବୃକ୍ଷରୋପଣ କରିବା ସହ ଗଁଦିଆ ବ୍ଲକ୍ ବିଡିଓ ଦ୍ୱାରା ଆୟୋଜିତ ଏକ ସଭାରେ କଳାକାରମାନଙ୍କୁ ଉଦ୍ବୋଧନ ଦେଇ ଉତ୍ସାହିତ କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ କୁମାର ମହାପାତ୍ରଙ୍କ ଦ୍ୱାରା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ "ସୁସ୍ଥ ନାରୀ-ସଶକ୍ତ ପରିବାର' ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ସନ୍ଧ୍ୟାରେ ନଗରମଣ୍ଡଳ ସଭାପତି ବିକାଶ ସାହୁଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସ୍ଥାନୀୟ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିରରେ ପ୍ରାର୍ଥନା କରିବା ସହ ୭୫ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।