ଠିକାଦାରଙ୍କ ଦୋଷ ଢାଙ୍କୁଛନ୍ତି ଯନ୍ତ୍ରୀ !

ଯଖପୁରା: ଦାନଗଦୀ ବ୍ଲକ୍ କୁମ୍ଭିରଗଡିଆ ପଞ୍ଚାୟତରେ ନିର୍ମିତ ହେଉଥିବା ହୋମିଓପାଥିକ ଗୃହ କାର୍ଯ୍ୟ ଦୁର୍ନୀତି ଲୁଚେଇଲେ ବି ଲୁଚୁନି । ବର୍ଷବର୍ଷ ଧରି ବିନା ସୂଚନା ଫଳକରେ କାର୍ଯ୍ୟ କରି ଆସୁଥିବା ନେଇ ସୂର୍ଯ୍ୟପ୍ରଭାରେ ଖବର ପ୍ରକାଶ ପରେ ଚେଇଁ ଉଠିଥିଲେ ଠିକାଦାର । ନିର୍ମାଣଧିନ ଗୃହ ସଂପର୍କରେ ଅବଗତ କରିବାକୁ ଫଳକ ମାରିଥିଲେ ହେଁ ସୂଚନା ଲେଖିବାକୁ ମନ ବଳାଇ ନାହାନ୍ତି । ଗୋଟେ ପଟେ ଏହା କରି ଦୋଷ ଛଡ଼ା ହେବାକୁ ଉଦ୍ୟମ କରିଥିବା ବେଳେ ଅନ୍ୟପଟେ କିନ୍ତୁ ବିନା ନିମଟଲରେ ଛାତ ପକାଇବାକୁ ପୁରା ସଜବାଜ ହେଲେଣି । ଏକଥା କାର୍ଯ୍ୟତଦାରକ କରୁଥିବା ଯନ୍ତ୍ରୀ ମହୋଦୟଙ୍କ ନଜରକୁ ଆସିଥିଲେ ହେଁ ଠିକାଦାରଙ୍କ ଦୋଷ ଢାଙ୍କିବାକୁ ପଛାଇ ନାହାନ୍ତି । ଦୁର୍ନୀତିକୁ ମୂଳମନ୍ତ୍ର କରି ଠିକାଦାର କାର୍ଯ୍ୟ ଶେଷ କରିଦେବା ଲକ୍ଷ୍ୟରେ ରହିଥିବା ବେଳେ ଯନ୍ତ୍ରୀଙ୍କ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ ଥାଉକି ଦୀର୍ଘ ୪୨ ବର୍ଷ ପରେ କୁମ୍ଭିରଗଡିଆ ଗ୍ରାମରେ ଥିବା ହୋମିଓ ପାଥିକ ଡ଼ାକ୍ତରଖାନାର ନିଜସ୍ୱ ଘର ପାଇଁ ଜିଲା ଖଣିଜ ପାଣ୍ଠିରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ମଞ୍ଜୁର କରାଯାଇଥିଲା । ଯାହାକୁ ପ୍ରଦୀପ ମଲ୍ଲିକ ନାମକ ଠିକାଦାର  ନିର୍ମାଣ ଆଦେଶ ପତ୍ର ପାଇଛନ୍ତି । ମାତ୍ର ଏତେ ଟଙ୍କାରେ ନିର୍ମିତ ଗୃହ କାର୍ଯ୍ୟରେ ଅନିୟମିତତା ସ୍ପଷ୍ଟ ଦେଖାଯାଇଛି । 
ଗୃହ କାର୍ଯ୍ୟ ଠିକାଦାରଙ୍କୁ ୨୦୨୩ ମସିହାରେ ମିଳିଥିବା ବେଳେ ଠିକାଦାର ଗୃହର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିବା ପରେ ମଧ୍ୟ ସୂଚନା ଫଳକ କରିନଥିଲେ । ‘ସୂର୍ଯ୍ୟପ୍ରଭା’ରେ ଖବର ପ୍ରକାଶ ପାଇଲା ପରେ ଠିକାଦାର ଚେତିଲେ ଆଉ ଏବେ ଏବେ ସୂଚନା ଫଳକ ନିର୍ମାଣ କରିଥିବାର ଦେଖାଯାଇଛି । ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ଠିକାଦାର ସୂଚନା ଫଳକରେ କାର୍ଯ୍ୟ ବିଷୟରେ କୌଣସି ସୂଚନା ଦେବାକୁ ଉଚିତ୍ ମଣି ନଥିଲେ । ପୁଣି ଠିକାଦାର ସ୍ୱାସ୍ଥ୍ୟ ପରି ଏକ ସମ୍ବେଦନଶୀଳ ଗୃହ କାର୍ଯ୍ୟରେ ଅନିୟମିତତା କରିଥିବାର ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟ ନିର୍ମାଣରେ ବ୍ୟାପକ ଅନିୟମିତତା କରିଥିବାର ନଜରକୁ ଆସିଛି । ଗୃହ ନିର୍ମାଣରେ କାର୍ଯ୍ୟରେ ଯେଉଁ ସବୁ କାର୍ଯ୍ୟ କରିବା ପାଇଁ ଅର୍ଥ ବରାଦ କରାଯାଇଛି ଠିକାଦାର ତାହା ନକରି କାର୍ଯ୍ୟରେ ଚଂଚକତା କରିଛନ୍ତି । ଘରର ମଜବୁତ ପାଇଁ ଦିଆଯାଉଥିବା ନିମଟଲକୁ ଠିକାଦାର ସମ୍ପୂର୍ଣ୍ଣ ଗୃହର କାନ୍ଥରେ ନଦେଇ କେବଳ ଝରକା କବାଟ ଲାଗିବା ସ୍ଥାନରେ ନିମଟଲ୍ ଦେଇଛନ୍ତି । ଏବିଷୟରେ ଗୃହ କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଠିକ୍ ଅଛି ଠିକାଦାର ଯଦି ଏହି ନିମଟଲ୍ ଦେଇ ନାହାନ୍ତି ତେବେ ନିମଟାଲ ପାଇଁ ଆବଶ୍ୟକ ଅର୍ଥକୁ ଠିକାଦାରର ମୋଟ ଅର୍ଥରୁ କାଟି ଦିଆଯିବ । ଏଥିରୁ ଗୋଟେ ପ୍ରଶ୍ନ ମନକୁ ଆସୁଛି ଯଦି ଯନ୍ତ୍ରୀ ଗୃହ ପାଇଁ ଆବଶ୍ୟକ ହେଉଥିବା ନିମଟଲ ବାବଦର ଅର୍ଥ କାଟି ଦେବେ ତେବେ କଣ ଗୃହର କାର୍ଯ୍ୟ ମଜବୁତ ହେବ । ଯଦି ଠିକାଦାର ନିମଟଲ୍ ଦେବାରେ ନଥିଲା ତେବେ କାର୍ଯ୍ୟରେ କାହିଁକି ଏହାକୁ ଅଂଶ ବିଶେଷ କରାଯାଇଥିଲା । କାର୍ଯ୍ୟ ତଦାରଖ ଦାୟୀତ୍ୱରେ ଥିବା ଯନ୍ତ୍ରୀ ଠିକାଦାରକୁ ବଞ୍ଚାଇବାକୁ ଅଥବା ଠିକାଦାର କରିଥିବା ଅନିୟମିତତାକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି? ସ୍ୱାସ୍ଥ୍ୟ କ୍ଷେତ୍ର ପରି ଗୃହ କାର୍ଯ୍ୟରେ ଠିକାଦାର କରିଥିବା ଚଞ୍ଚକତା ଆଗାମୀ ଦିନରେ ରୋଗୀଙ୍କ ପାଇଁ ମାହାଙ୍ଗା ନପଡ଼ିବ କିଏ କହିପାରିବ । ହୋମିଓପାଥିକ ଡ଼ାକ୍ତରଖାନା ପରି ଏକ ସମ୍ବେଦନଶୀଳ ଗୃହ କାର୍ଯ୍ୟରେ ଅନିୟମିତତା ଆଗାମୀ ଦିନରେ ଘର ଭୁଶୁଡ଼ି ପଡ଼ିବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ପୁଣି ଠିକାଦାର ନିମଟଲ୍ କାର୍ଯ୍ୟରେ ଅନିୟମିତତା କରିଲା ପରେ ମଧ୍ୟ କାହା ସାହାସରେ ଗୃହର ଛାତ ପକାଇବା ପାଇଁ ସଜବାଜ ହେଉଛନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି । ତେଣୁ ଗୃହର କାର୍ଯ୍ୟ ସଠିକ୍ ଭାବରେ ଓ ସଠିକ୍ ଢଙ୍ଗରେ କରିବାପାଇଁ ଓ ଯେଉଁ କାର୍ଯ୍ୟରେ ଠିକାଦାର ଚଞ୍ଚକତା କରିଛନ୍ତି ତାକୁ ଠିକ୍ କରି ଗୃହ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ଦାବି କରିଛନ୍ତି ।