କାହା ଇଙ୍ଗିତରେ ଚାଲିଛି ମିଶନଶକ୍ତି ବିଭାଗ?
ରାଜନଗର : ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଦ୍ୱାରା ବ୍ଲକ ଓ ପଚାଂୟତ ମହାସଂଘ ଗଠନ କରାଯାଇଛି । ପ୍ରତି ପଚାଂୟତରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଓ ଇସି ମେମ୍ବରମାନେ କାମ କରି ଦରମା ନେଉଥିଲେ । ସରକାର ବଦଳିବା ପରେ ଏମାନେ ୧୦ମାସର ଦରମା ପାଇନଥିବା ନେଇ ବ୍ଲକ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଶେଷରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ପଛାଇନଥିଲେ । ନୂଆ ସରକାର ସେମାନଙ୍କୁ ୧୦ମାସ ହେବ ଦରମା ନ ଦେଇ କାମ କରାଉଛି ବୋଲି ଅଭିଯୋଗ କରି ଆସୁଛନ୍ତି । ମାତ୍ର ସେମାନେ ଚଳିତବର୍ଷ ଜାନୁୟାରୀ ମାସରେ ଛଅମାସର ଦରମା ନେଇଯାଇଥିବା ଗୁମର ପଦାକୁ ଆସିଛି । ଛଅମାସର ଦରମା ନେଇ ସାରିବା ପରେ ପୁନର୍ବାର ସରକାରଙ୍କ ନିକଟରେ ୧୦ମାସର ଦରମା ଦାବି କରିବା ଘଟଣା ପଛରେ କାହାର ଇସାରା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ରାଜନଗର ବ୍ଲକ ୨୯ଟି ପଚାଂୟତରେ ମହାସଂଘ ଗଠନ କରାଯାଇଛି । ଭିତରଗଡ ପଚାଂୟତରେ ଏମବିକେ ନିଯୁକ୍ତି ପାଇନଥିବା ବେଳେ ଅନ୍ୟ ୨୮ଟିରେ ଏମବିକେ ଅଛନ୍ତି । ଏହି ବ୍ଲକରେ ୧୬୮ଜଣ ସିଆରପି, ୯ଜଣ ବ୍ୟାଙ୍କମିତ୍ର, ୯ଜଣ କୃଷିମିତ୍ର, ୪ଜଣ ପ୍ରାଣୀମିତ୍ରଙ୍କ ସହ ୫୨୨ଜଣ ଇସି ମେମ୍ବର ରହିଛନ୍ତି । ଗତ ଜାନୁୟାରୀ ମାସରେ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାମାନେ ଅଧିବେଶନ କରି ଜିପିଏଲଏଫ ପାଣ୍ଠିରୁ ମହାସଂଘର ସମସ୍ତ କର୍ମଚାରୀ(ସଦସ୍ୟ)ଙ୍କୁ ଦରମା ପ୍ରଦାନ କରିଥିବା ଜଣାପଡିଛି । ଦରମା ପାଇ ସାରିବା ପରେ ସରକାରଙ୍କ ନିକଟରେ ୧୦ମାସର ଦରମା ପାଇଁ ଦାବି କରୁଛନ୍ତି । ଯାହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ଦରମା ପାଇ ସାରିବା ପରେ ବି କାହା ଇଙ୍ଗିତରେ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧଂ ଦେବି ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ ? ସରକାର ସେମାନଙ୍କୁ ସମସ୍ତ ବକେୟା ଦରମା ଦେବାକୁ ଘୋଷଣା କରିବା ପୂର୍ବରୁ ସେମାନେ ଛଅମାସର ଦରମା ନେଲେ କିପରି ? ଏହା ପଛରେ କାହାର ହାତ ଥିଲା? ଯାହା ତଦନ୍ତ ସାପେକ୍ଷ । ଏ ସଂପର୍କରେ ମିଶନଶକ୍ତିର କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ ପାଢିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମହାସଂଘର କର୍ମକର୍ତ୍ତାମାନେ ମନମୁଖୀ ଟଙ୍କା ଉଠାଇ ଦରମା ଆକାରରେ ନେଇଯାଇଥିବାରୁ ତାକୁ ବନ୍ଦ କରିବା ସହ ନିୟମ ବଦଳାଇ ଦେଇଛୁ । ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କ ସରକାରୀ ଅଧିକାରୀ ଅଗୋଚରରେ ଆଉ ଟଙ୍କା ଉଠାଇ ପାରିବେ ନାହିଁ ବୋଲି କହିଛନ୍ତି ।