ରଥ ଖଳାରେ ଚାଲିଛି ରଥ ପ୍ରସ୍ତୁତି


ବ୍ରହ୍ମବରଦା: ଜୁଲାଇ ୭ରେ ପଡୁଛି ପବିତ୍ର ଶ୍ରୀଗୁଣ୍ଡିଚା । ଉକ୍ତ ଦିନରେ ଜଗନ୍ନାଥ ଧାମ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବା ସହିତ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନ ମାନଙ୍କରେ ମଧ୍ୟ ରଥାରୁଢ଼ ମହାପ୍ରଭୁଙ୍କ ରଥ ଗଡିବ । ତଦନୁଯାୟୀ ଓଡ଼ିଶାର ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ନିମିତ ରଥ ନିର୍ମାଣ କାର୍ଯ୍ୟ ଏବେ ଜାରିରହିଛି । ଏହି କ୍ରମରେ ବ୍ରହ୍ମବରଦା ପଞ୍ଚାୟତ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଥିବା ରଥ ଖଳାରେ ମଧ୍ୟ ରଥ ନିର୍ମାଣ ପ୍ରସ୍ତୁତ କାର୍ଯ୍ୟ ବହୁ ଜୋରସୋରରେ ଆରମ୍ଭ ହୋଇଯାଇଛି । ରଥକାର୍ଯ୍ୟ ନିର୍ମାଣର ମୁଖ୍ୟ କାରିଗର ସୁଶାନ୍ତ ମହାରଣାଙ୍କ ତତ୍ୱାବଧାନରେ ରଥ ଚକ, ଅଖ, ଗୁଜ, ନାହାକା ଖୁଣ୍ଟ, କାଣ୍ଡ, ଚଉକ, ଅଶ୍ୱ, ଦଧିନଉତି ଓ ରଥ ଅବରୋଧକ (ବ୍ରେକ୍) ପରି କାର୍ଯ୍ୟ ଚାଲୁରହିଛି । ଏଥିରେ ସହଯୋଗୀ କାରିଗର ଭାବେ ହଳଧର ମହାରଣା, ନିର୍ମଳ ମହାରଣା ଓ ପ୍ରତାପ ମହାରଣା ଆଦି ନିଜ ନିଜ ଦାୟିତ୍ୱ ତୁଲାଉଛନ୍ତି । ରଥଯାତ୍ରା ପୂଜା କମିଟିର ମୁଖ୍ୟ ତଥା ଗାଁ ମୁରବି ପବିତ୍ର ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ନିତ୍ୟାନନ୍ଦ ରାଉତ, ପୁରୋହିତ ନିଶିକାନ୍ତ ପାଢୀ, ବିଷ୍ଣୁ ଚରଣ ଓଝା ଆଦି ଉପସ୍ଥିତ ରହି ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି ।