୧୦କୋଟିର ସାଇବର ଠକେଇ, ୫ ଗିରଫ ଅନ ଲାଇନ୍ ଗେମିଂରେ କାରବାର ସନେ୍ଦହ

 ବାରଙ୍ଗ:  ଚନ୍ଦକା ଥାନା ପୁଲିସ ସାଇବର ଠକେଇ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ମୈତ୍ରୀ ବିହାର ଥାନା ଅଧୀନସ୍ଥ ବିଡ଼ିଏ କଲୋନିରେ ରହୁଥିବା ଭଗବାନ ସାହୁ (୨୧)ଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଚିରଞ୍ଜିବ ରାଉତ (୨୧), ଅମିତାରାଣୀ ରାଉତ (୫୦), ଆକାଂଖ୍ୟା ରାଉତ (୨୧) ଓ ବିହାରର ସମୀର କୁମାର ଭୁବେ (୩୫) । ସୂଚନା ଅନୁଯାୟୀ ଚନ୍ଦକାଥାନା ଅଧିନସ୍ଥ ଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଅମିତାରାଣୀ ରାଉତ (୫୦) ନାମକ ମହିଳା ତାଙ୍କ ସମ୍ପର୍କୀୟ ସୁସାନ୍ତଙ୍କ ମାଧ୍ୟମରେ ବିହାର ମିରଗଞ୍ଜର ସମୀର କୁମାର ଭୁବେ ନାମକ ଯୁବକଙ୍କ ସହ ପରିଚିତ ହୋଇଥିଲେ । ଅମିତାରାଣୀଙ୍କ ଦ୍ୱାରା କରିବାକୁ ଥିବା  ଏକ ସୌର ପ୍ରକଳ୍ପ ସ୍ଥାପନ କରିବାରେ ଆର୍ଥିକ  ସାହାଯ୍ୟ କରିବେ ବୋଲି ସମୀର ପ୍ରତିଶ୍ରୁତି ଦେଇଥିଲେ । ତାପରେ ଅମିତାରାଣୀଙ୍କୁ ମାଧ୍ୟମରେ  ଅନ୍ୟ ତିନିଜଣଙ୍କୁ ସାମିଲ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲି ନିଜ ପରିଚିତ  ଏକ ଏନଜିଓ ସହ ଲିଙ୍କ କଲେ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ଆସିଲେ ଲକ୍ଷେ ଟଙ୍କା ଲାଭ ମିଳିବାର  ପ୍ରଲୋଭନ ଦେଖାଇଥିଲେ । କିଛି ଦିନ ସଂଘର୍ଷ ବିହାରରେ ରହି ବିହାରକୁ ପଳାଇଯାଇଥିଲେ । ଗତ ଦୁଇମାସ ତଳେ ବ୍ୟାଙ୍କ୍ରେ ପ୍ରାୟ ୧୦କୋଟି ଟଙ୍କାର କାରବାର ଉକ୍ତ ଆକାଉଣ୍ଟରେ ହୋଇଥିବାର ଜାଣିବାକୁ ମିଳିଥିଲା । କିନ୍ତୁ  ପୂର୍ବ ପ୍ରତିଶ୍ରୁତି ମୁତାବକ ପରସେଣ୍ଟଜ ଏମାନେ ପାଇନଥିଲେ । ତେଣୁ ଅମିତାରାଣୀ ଓ ତାର ସହଯୋଗୀମାନେ ମିଶି ଆଉ ଏକ ନୂଆ ଆକାଉଣ୍ଟ ଖୋଲିବାର ଲୋଭ ଦେଖାଇ  ସମୀର କୁମାର ଭୁବେକୁ ଡାକିଥିଲେ । ସମୀର ଏମାନଙ୍କ ଚାଲ ଜାଣିନପାରି କ୍ୟାପିଟାଲ ଥାନା ଅଧୀନସ୍ଥ ଏକ ହୋଟେଲରେ ଆସି ରହିବା ସହ ସେଠାରେ ଭେଟିବାକୁ ଅମିତାରାଣୀଙ୍କୁ କହିଥିଲେ । ଏହାପରେ ଅମିତାରାଣୀ,ଭଗବାନ, ଚିରଞ୍ଜିବ ଓ  ଆକାଂଖ୍ୟା ହୋଟେଲକୁ ଯାଇ ସମୀରକୁ ବନ୍ଦୀ କରି ରଖି ୨୫ଲକ୍ଷ ଟଙ୍କା ନଦେଲେ ଛାଡ଼ିବେ ନାହିଁ ବୋଲି ଦାବି କରିଥିଲେ । ଏହାପରେ ସମୀର ଥିବା ହୋଟେଲଠାରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଗୃହବନ୍ଦୀରେ ଥିବା ୪ଜଣଙ୍କ ପାଖରୁ   ସମୀରକୁ ଉଧାର କରି ୫ଜଣଙ୍କୁ ଚନ୍ଦକା ଥାନାକୁ ହସ୍ତାନ୍ତର କରିଥିଲେ । ଚନ୍ଦକା ଥାନା ଆଇଆଇସି ସମିତା ମିଶ୍ର  ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିବା ବେଳେ ଟଙ୍କା ଲୋଭରେ  ଏହି ସାଇବର  ଠକେଇ ଘଟଣାରେ ସମସ୍ତଙ୍କ ଭୂମିକା ଥିବାର ପ୍ରମାଣ ପାଇଥିଲେ । ପୁଲିସ ତଦନ୍ତ ବେଳେ ଅନ ଲାଇନ୍ ଗେମିଂରେ ଉକ୍ତ ଟଙ୍କା ବିନିଯୋଗ ହୋଇଥିବାର ସମୀର କୁମାର ଭୁବେ ପୁଲିସକୁ ସୂଚନା ଦେଇଥିବା ଆଇଆଇସି ମିଶ୍ର କହିଛନ୍ତି ।