ପ୍ରଥମ ଥର ଭୋଟ ଦେଲେ ୪୫ ବର୍ଷର ଦିବ୍ୟାଙ୍ଗ କୁଳମଣି
ଯାଜପୁର,: ଲୋକସଭା ସହ ଯାଜପୁର ଜିଲାର ୭ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୯୪୬୫ ଜଣ ହୋମ ଭୋଟିଂ ଦେବାକୁ ଆବେଦନ କରିଥିବା ବେଳେ ଭୋଟିଂ ଆରମ୍ଭର ପ୍ରଥମ ଦିନରେ ୪୫ ବର୍ଷୀୟ ଦିବ୍ୟାଙ୍ଗ କୁଳମଣି ସାହୁ ପ୍ରଥମ ଭୋଟ ଦେଇଛନ୍ତି । ଯାଜପୁର ବିଧାନସଭା ଆସନ ଅନ୍ତର୍ଗତ ରଣୁଆ ଗ୍ରାମର କୁଳମଣି ତାଙ୍କର ମତଦାନ କରିଥିଲେ । ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ଏକ କାଳୀନ ସାଧାରଣ ଲୋକସଭା ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ନିମନ୍ତେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଅଧିକରୁ ଅଧିକ ମଜବୁତ୍ କରିବା ଦିଗରେ ହୋମ ଭୋଟିଂ ଏକ ଅତିସରଳ ମାଧ୍ୟମ ବୋଲି ଜିଲାପାଳ ତଥା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ତାଙ୍କର ମତବ୍ୟକ୍ତ କରିଛନ୍ତି । ୮୫ ବର୍ଷରୁ ଅଧିକ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଏହାଦ୍ୱାରା ଗଣତନ୍ତ୍ରର ସର୍ବୋକୃଷ୍ଟ ପର୍ବ ନିର୍ବାଚନ ପର୍ବରେ ସାମିଲ ହୋଇ ରାଷ୍ଟ୍ରର ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଅତୁଳନୀୟ ଭୂମିକା ନିର୍ବାହ କରୁଛନ୍ତି ବୋଲି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କଲ୍ୟାଣ ପ୍ରକାଶ କରିବାସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହୋମ ଭୋଟିଂରେ ବରିଷ୍ଠ ନାଗରିକ ନିଶ୍ଚିତ ସାମିଲ ହୋଇ ନିଯୁକ୍ତ କର୍ମଚାରୀ ମାନଙ୍କ ସହାୟତାରେ ନିଜର ମତଦାନ କରି ସାବ୍ୟସ୍ତ କରି ମତଦାନ ହାର ବୃଦ୍ଧି ଦିଗରେ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି । ପ୍ରକାଶ ଥାଉକି ପ୍ରଥମ କରି ଯାଜପୁର,ବିଞ୍ଝାରପୁର ସଂରକ୍ଷିତ ବିଧାନସଭା ଆସନ ଓ ସୁକିନ୍ଦା ବିଧାନସଭା ଆସନରେ ହୋମ ଭୋଟିଂ ସୂଚାରୁରୂପେ ପରିଚାଳିତ ହୋଇଥିବାର ଖବର ମିଳିଛି ।