୧୬ରୁ ସାତସାହି କଟକ ନୃତ୍ୟୋତ୍ସବ

 କଟକ : କଟକ ନୃତ୍ୟୋତ୍ସବ କମିଟି ଆନୁକୂଲ୍ୟରେ ୧୬ତମ  ସାତସାହି କଟକ ନୃତ୍ୟୋତ୍ସବ ମେ’ ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାଲିଯାତ୍ରା ଉପର ପଡ଼ିଆ ଠାରେ ଅନୁଷ୍ଠିତ ହେବ । ୧୦ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ ମହୋତ୍ସବରେ ଦେଶର ୮୦ରୁ ଊଦ୍ଧ୍ୱର୍ ସାଂସ୍କୃତିକ ଦଳ ମୁକ୍ତାକାଶ ମଞ୍ଚରେ ଓଡ଼ିଶୀ, ଭାରତ ନାଟ୍ୟମ୍, ମଣିପୁରୀ, କୁଚୁପୁଡ଼ୀ ଓ ବିହୁ ଆଦି ନୃତ୍ୟ ପରିବେଷଣ କରିବେ ବୋଲି ପରିଚାଳନା କମିଟି ଅଧ୍ୟକ୍ଷ ତଥା ମେୟର ସୁବାସ ସିଂହ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟର ୧୨୦ରୁ ଊଦ୍ଧ୍ୱର୍ କଳାକାର ନୃତ୍ୟ ବିଚିତ୍ରା ପରିବେଷଣ କରିବେ, ଯାହା କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ । ଏହି ଅବସରରେ ଆୟୋଜିତ ଜାତୀୟସ୍ତରୀୟ ସାତସାହି ବାଣିଜ୍ୟ ମେଳାରେ ୧୫୦ଟି ଷ୍ଟଲ ଖୋଲିବ । ଦେଶର ବିଭିନ୍ନ ରାଜ୍ୟର ବ୍ୟବସାୟୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ମେଳାରେ ଯୋଗ ଦେବେ । ଏଥିସହିତ ଥାଲାସେମିଆ, କ୍ୟାନସର, ମଧୁମେହ ପିଡ଼ିତ ଶିଶୁ, ଭିନ୍ନକ୍ଷମ ଓ ଅନ୍ନାଥ ଅନୁଷ୍ଠାନକୁ କମିଟିକୁ ମିଳିଥିବା ସହଯୋଗ ତଥା ମେଳାରୁ ଦାନ ଆକାରରେ ସଂଗୃହୀତ ଅର୍ଥ ପ୍ରଦାନ କରାଯିବ ବୋଲି ପରିଚାଳନା କମିଟିର ସାଧାରଣ ସଂପାଦକ ଦୀପେଶ ମହାପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାଛଡ଼ା ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରତିଦିନ ସନ୍ଧ୍ୟାରେ ଓଲିଉଡ଼ ଷ୍ଟାର ନାଇଟ ଅନୁଷ୍ଠିତ ହେବ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଳାକାରମାନେ ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କାର୍ଯ୍ୟକ୍ରମର ଅଷ୍ଟମ ସନ୍ଧ୍ୟାରେ ଦିବଂଗତ ଯୁବ ପ୍ରଯୋଜକ ସୁମିତ ରାଉତ ମେମୋରିଆଲ ସିନେ ମେକର ସମ୍ମାନ ନବାଗତ ପ୍ରଯୋଜକ କାମିନୀକାନ୍ତ ସାହୁଙ୍କୁ ତାଙ୍କ ପ୍ରାୟୋଜିତ ଡଷ୍ଟବିନ ଚଳଚ୍ଚିତ୍ର ପାଇଁ ପ୍ରଦାନ କରାଯିବ । ଏଥି ସହିତ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଶେଷ ସନ୍ଧ୍ୟାରେ କମିଟିର ମୁଖପାତ୍ର ନଗରୀ କଟକ ଉନ୍ମୋଚିତ ହେବ । କଟକ ଜିଲ୍ଲା ପ୍ରଶାସନ, ସାଂସ୍କୃତିକ ପରିଷଦ, ସୂଚନା ଓ ଲୋକ ସଂପର୍କ ବିଭାଗ, କଟକ ମହାନଗର ନିଗମ ଓ କଟକ ଉନ୍ନୟନ କତ୍ତୁର୍ପକ୍ଷଙ୍କ ସହଭାଗିତାରେ ଏହି ନୃତ୍ୟତ୍ସୋବ ଅନୁଷ୍ଠିତ ହେବ । ଅନ୍ୟମାନଙ୍କ ମଧ୍ୟରେ କମିଟିର କାର୍ଯ୍ୟକାରୀ ସଭାପତି ଡ ଦୁର୍ଗା ଚରଣ ଦାଶ, ଉପଦେଷ୍ଟା ପଦ୍ମ ଲୋଚନ ମିଶ୍ର, ଉପସଭାପତି ମଧୁସ୍ମିତା ବାରିକ, କୋଷାଧ୍ୟକ୍ଷ ଉଲ୍ଲାସ ସେନ ଓ ପୃଷ୍ଠପୋଷକ ବବିତା ସ୍ୱାଇଁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।