ଜମୁଛି ଶୀତବସ୍ତ୍ର ବଜାରରେ ଗ୍ରାହଙ୍କ ଭିଡ଼

 କଟକ: ପ୍ରତିବର୍ଷ ଭଳି ଏଥର ମଧ୍ୟ ଶୀତ ଋତୁରେ କଟକରେ ଶୀତ ବସ୍ତ୍ରର ପସରା ମେଲାଇଛନ୍ତି ତିବ୍ଦତୀୟ ବ୍ୟବସାୟୀମାନେ । ସଂପ୍ରତି ସହରରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଗ୍ରାହକମାନେ ଭଳିକି ଭଳି ମନ ପସନ୍ଦର ଶୀତବସ୍ତ୍ର କିଣିବାକୁ  ବଜାରରେ ଭିଡ଼ି ଜମାଉଛନ୍ତି । ତେବେ ଚଳିତବର୍ଷ ବେପାର ଭଲ ହେବ ବୋଲି ଏହି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି । 
ଶୀତ ଋତୁ ଆଗମନରେ କଟକରେ ତିବ୍ଦତୀୟଙ୍କ ଶୀତବସ୍ତ୍ର ମାର୍କେଟ ଖୋଲିଥାଏ । ସ୍ଥାନୀୟ ମଙ୍ଗଳାବାଗ କାଠଗୋଲା ରୋଡ଼ ମହାନଦୀକୂଳରେ ଚଳିତ ବର୍ଷ ପାଖାପାଖି ୫୦ଟି ଶୀତବସ୍ତ୍ର ଷ୍ଟଲ ଖୋଲିଛି । ୫ଦଶକ ଧରି ଏହି ବ୍ୟବସାୟୀମାନେ କଟକରେ ଶୀତବସ୍ତ୍ର ବେପାର କରି ଆସୁଛନ୍ତି । ପୂର୍ବରୁ ହାତ ତିଆରି ସାଲ ଓ ସ୍ୱଏଟର ଆଦି ଏହି ବ୍ୟବସାୟୀମାନେ ବିକ୍ରୟ କରୁଥିଲେ । ବର୍ତ୍ତମାନ ସମୟରେ ଆଧୁନିକ ଢ଼ାଞ୍ଚାର ଜ୍ୟାକେଟ, କମ୍ବଳ, ସ୍ୱେଟ ସାର୍ଟ, ମଫଲର, ମୋଜା ଓ ଗ୍ଲୋବସ ଆଦି ଭଳିକି ଭଳି ଶୀତବସ୍ତ୍ର ଏହି ଷ୍ଟଲଗୁଡ଼ିକରେ ଉପଲବ୍ଧ ହେଉଛି । ଜ୍ୟାକେଟର ଦାମ ୭୦୦ରୁ ୧୫୦୦ ଟଙ୍କା ମଧ୍ୟରେ ରହିଛି । ସେହିପରି ସ୍ୱେଟ୍ ସାର୍ଟର ମୂଲ୍ୟ ୮୦୦ରୁ ୧୨୦୦ଟଙ୍କା ମଧ୍ୟରେ ରହିଛି । ଆକର୍ଷଣୀୟ କମ୍ବଳର ମୂଲ୍ୟ ୭୦୦ରୁ ୨୦୦୦ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି । ଏହି ବ୍ୟବସାୟୀମାନେ ବିଶେଷ କରି ଶୀତବସ୍ତ୍ରଗୁଡ଼ିକୁ ନେପାଳ, ଦିଲ୍ଲୀ, ହରିୟାନା ଓ ଦାର୍ଜିଲିଂ ଆଦି ସ୍ଥାନରୁ ଆଣି ଏଠାରେ ବିକ୍ରୟ କରିଥାନ୍ତି । ନବଜାତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ପାଇଁ ସମସ୍ତ ପ୍ରକାର ଶୀତବସ୍ତ୍ର ଏଠାରେ ଉପଲବ୍ଧ ରହିଛି । ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ ଶୀତ ବସ୍ତ୍ର ଅଣାଯାଇଥାଏ । ପାଖାପାଖି ୩ ମାସ ଧରି ଏହି ମାର୍କେଟ ଚାଲିଥାଏ । ସହରରେ ସଂପ୍ରତି ଶୀତର ପ୍ରଭାବ ବୃଦ୍ଧି ହେତୁ ଚଳିତବର୍ଷ ବେପାର ଭଲ ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।