୧୭୭୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ

 ଢେଙ୍କାନାଳ:  ରାଜ୍ୟରେ ଗରିବ, ଅନଗ୍ରସର ଓ ବିଭିନ୍ନ କ୍ଷେତ୍ରରେ ପଛୁଆ ବର୍ଗର ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘର ପୋଡ଼ି, ହାତୀ ଉପଦ୍ରବ, ବନ୍ୟା ବାତ୍ୟାରେ କ୍ଷତିଗ୍ରସ୍ତ ବ୍ୟକ୍ତି ଉପକୃତ ହେବେ । ଏଥିନିମନ୍ତେ ୩ ବର୍ଷ ମଧ୍ୟରେ ୭୫୫୦କୋଟି ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ପଲ୍ଲୀଶ୍ରୀ ମେଳା ପଡ଼ିଆ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଜିଲ୍ଲାର ୧୭୭୫ ଜଣ ହିତାଧିକାରୀଙ୍କୁ ଗୃହନିର୍ମାଣ କାର୍ଯ୍ୟାଦେଶ ଦିଆଯିବ ବୋଲି ପ୍ରକାଶ କରିଛନ୍ତି  । ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କାହାରିକୁ କୌଣସି ପ୍ରକାରର ଲାଞ୍ଚ, ଟଙ୍କା ନ ଦେବାକୁ କହିଛନ୍ତି । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଂଜନ ସେଠୀ ସ୍ୱାଗତ ଭାଷଣ ଦେଇ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉତ୍ସବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌର ପରିଷଦର ଅଧ୍ୟକ୍ଷା ଜୟନ୍ତୀ  ପାତ୍ର,  ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।  ଶେଷରେ ଜିଲ୍ଲାପାଳ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଜାତା ପ୍ରିୟଦର୍ଶିନୀ ଶେଷରେ ସମସ୍ତଙ୍କୁ ଧନ୍ୟବାନ ଅର୍ପଣ କରିଥିଲେ ।