ସମବାୟ ବ୍ୟାଙ୍କରେ ବୀମା ଟଙ୍କା ହେରଫେର୍ 

ଆସିକା: ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ମହିଳା ବ୍ରାଞ୍ଚ ପରେ ସଦର ବ୍ରାଞ୍ଚରେ କିଛି ଟଙ୍କା ହେରଫେର ହୋଇଥିବା ନାବାର୍ଡ ଯାଞ୍ଚ ବେଳେ ଧରାପଡ଼ିଥିବା ଜଣାପଡିଛି । ଆସିକା ସଦର ବ୍ରାଞ୍ଚ ଅଧୀନରେ ଥିବା ୧୯ ଗୋଟି ସେବା ସମିତି ମଧ୍ୟରୁ ୧୧ ଗୋଟି ସେବା ସମିତିରେ କିଛି ଟଙ୍କାକୁ ଏପଟ ସେପଟ କରିଥିବା ନେଇ ନାବାର୍ଡ ହାତରେ ଏଭଳି ଦସ୍ତାବିଜ କିମ୍ୱା ହିସାବ କାଗଜ ଲାଗିଥିବା କୁହାଯାଉଛି । ପ୍ରକାଶଥାଉକି, ଗତ ୨୦୨୧-୨୨ ମସିହାରେ ଖରିଫ ଋତୁରେ ପାଣି ପଶି ଚାଷୀର ଧାନ ଫସଲ ବନ୍ୟା ଓ ବର୍ଷା ପାଣି ଚାଷ ଜମିରେ ପଶି  ଫସଲ ନଷ୍ଟ ହୋଇଥିଲା । ତେଣୁ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତି ଗ୍ରସ୍ଥ ଚାଷୀମାନଙ୍କୁ ୧ କୋଟି ୯୮ ଲକ୍ଷ ଚାଷୀମାନଙ୍କ ବୀମା ଋଣ ବାବଦକୁ ଆସିଥିଲା । ମୋଟ ୧୯ ସେବା ସମିତି ମଧ୍ୟରୁ ୧୧ ସେବା ସମିତି ତଥା ଆସ୍କା, ନୂଆଗାଁ, ବଡ଼ ଖୋଲି, ବରଗାଁ, ବେଣାପାଟ, ଦେବଭୂମି ମଙ୍ଗଳପୁର, ନିମିନା, ଜଗଦଳପୁର, ଗୁଣ୍ଠପଡା, ଘଟକୁରି ଓ ହରିଡ଼ାପଦରରେ ଉପଯୁକ୍ତ ଚାଷୀମାନଙ୍କୁ ବୀମା ଋଣ ସେମାନଙ୍କ ସିଧସଳଖ ଜମାଖାତାରେ ଜମା ନ କରି ସେବା ସମିତିର ଚାଷୀମାନଙ୍କ ଋଣ ଖାତାରେ ଋଣ ପରିଶୋଧ ଆଳରେ ଜମା କରି ଏପଟ ସେପଟ କରିଥିବା ନାବାର୍ଡ ଦେଖିଥିଲା ।  ବ୍ୟାଙ୍କ ଟଙ୍କା ନେଣ ଦେଣ ଆଇନର ଉଲ୍ଲଘଂନ ହୋଇଥିବା ହୃଦବୋଧ କରି ନାବାର୍ଡ ତଦନ୍ତ କରିଯାଇଛି । ତାର ଏକ ବିସ୍ତୃତ ରିପୋର୍ଟ ଅଳ୍ପ ଦିନ ମଧ୍ୟରେ ସମବାୟ କେନ୍ଦ୍ର ବ୍ୟାଙ୍କକୁ ପ୍ରଦାନ କରିବ । ରିପୋର୍ଟ ଆସିଲା ପରେ ବୋର୍ଡ ବୈଠକରେ ଆଲୋଚନା କରାଯିବ ବୋଲି ବ୍ୟାଙ୍କର ସମ୍ପାଦକ ନାରାୟଣ ମଇ ମୌଖିକ ଭାବେ କହିଛନ୍ତି । ଗତ ୨୦୨୧-୨୨ ମସିହାରେ ୦୧ କୋଟି ୯୮ ଲକ୍ଷ ଚାଷୀମାନଙ୍କ ବୀମା ଋଣ ବାବଦରେ ହେରଫେର ବିଷୟରେ ସମ୍ପାଦକ କେବଳ ଶୁଣିଥିବା କହିଥିବାବେଳେ ତାଙ୍କ ପାଖକୁ କୌଣସି ଲିଖିତ କାଗଜ ନାବାର୍ଡ ପ୍ରଦାନ କରିନାହାନ୍ତି । କିନ୍ତୁ ସଦର ବ୍ରାଞ୍ଚର ଶାଖା ପରିଚାଳକ ନିରଂଜନ ପୃଷ୍ଟିଙ୍କୁ ପଚାରିବାରୁ ଏଭଳି କୌଣସି ହେରଫେର ହୋଇ ନଥିବା ବେଳେ ବୀମାଋଣର ଆର୍ଥôକ ରାଶି ପୂର୍ବ ନିୟମ ପ୍ରକାରରେ ସମସ୍ତ ଟଙ୍କା ଚାଷୀକୁ ବଣ୍ଟନ କରାଯାଇଥିବା ପ୍ରମାଣ ରହିଛି ବୋଲି କହୁଛନ୍ତି । ହେଲେ ନାବାର୍ଡର ତଦନ୍ତ ରିପୋର୍ଟ ଅପେକ୍ଷାରେ ସଦର ବ୍ରାଞ୍ଚ ଏବଂ ମହିଳା ଶାଖା ବ୍ରାଞ୍ଚ ରହିଛି ।