୨ ଲକ୍ଷ ଟଙ୍କିଆ ଆମ୍ବ
ନବରଙ୍ଗପୁର: ଏବେ ଆମ୍ବ ସିଜିନ୍ ଚାଲିଥିବାବେଳେ ନବରଙ୍ଗପୁରର ଜଣେ ଚାଷୀ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଗୋଲାପୀ ବାଇଗଣୀ ରଙ୍ଗର ଆମ୍ବ ‘ମିୱାଜାକି’ ଚାଷ କରି ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଏହି ଆମ୍ବ କେଜି ପିଛା ଦାମ୍ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ରହିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ଡେଙ୍ଗା ତୋଟାଗୁଡା ଗ୍ରାମରେ ଶୋଭାବର୍ଦ୍ଧନ କରୁଛି ମିୱାଜାକି ଆମ୍ବ । ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷଣ ଭିତ୍ତିରେ ନିଜ ଫାର୍ମରେ ଏହା ଚାଷ କରିଛନ୍ତି । ଗତ ୨୦୨୩ ଜୁଲାଇରେ ଏକ ନର୍ସରୀରୁ ଚାରା ପିଛା ୨୧୦୦ ଟଙ୍କା ଦେଇ ସେ ଆମ୍ବ ଚାଷ କରିଥିଲେ । ଗୋବର, ନିମ ଓ ଜିଆ ଭଳି ଜୈବିକ ଖତ ହିଁ ସେ ବ୍ୟବହାର କରିଛନ୍ତି । ଦୁଇବର୍ଷ ମଧ୍ୟରେ ୬ ରୁ ୭ ଫୁଟ ଉଚ୍ଚତାର ଏହି ଗଛରେ ଆମ୍ବ ଫଳିଛି । ଗୋଟିଏ ଗୋଟିଏ ଆମ୍ବର ଓଜନ ଅଧା କେଜିରୁ ଗୋଟିଏ କେଜି ଓଜନର ହେଲାଣି । ଜିଲ୍ଲା ଉଦ୍ୟାନ ବିଭାଗ ସହାୟତାରେ ସୁଧାଂଶୁଙ୍କ ଫାର୍ମ ରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରାଯାଇଛି । ବୁନ୍ଦା ଜଳସେଚନ ପାଇଁ ସେ ୬୦ ପ୍ରତିଶତ ରିହାତି ପାଇଛନ୍ତି । ବୁନ୍ଦା ଜଳସେଚନ ବ୍ୟବସ୍ଥା ଯୋଗୁଁ ଗଛକୁ ଉଭୟ ଖତ ସାର ସହ ପାଣି ନିୟମିତ ବ୍ୟବଧାନରେ ମିଳିପାରୁଛି । ଯାହାଦ୍ୱାରା ଗଛକୁ ଠିକ ପୋଷଣ ମିଳିପାରୁଛି । ଫଳରେ ଦୁଇବର୍ଷ ମଧ୍ୟରେ ଗଛରେ ଫଳ ଧରିପାରିଛି । ଏହାର ରକ୍ଷଣାବେକ୍ଷଣ ଓ ଯନô କିପରି କରାଯିବ ସେ ନେଇ ଡିଜିଟାଲ ମିଡ଼ିଆର ସହାୟତା ନେଇଥିଲେ । ଏଭଳି ବିରଳ କିସମ ଆମ୍ବ ଚାରା ରୋପଣ ସହ ଗଛର ଯନô ନେଇଥିବା ଫାର୍ମ କର୍ମଚାରୀ ବି ଖୁସି ହେବା ସହ ତାର ସୁରକ୍ଷାରେ ଲାଗି ପଡିଛନ୍ତି ।
ସୁଧାଂଶୁ ନିଜ ଫାର୍ମରେ କେଶର, ଚଉସା, ଆଲଫାନ ଆମ୍ବ ସହ ପିଜୁଳି ଚାଷ କରନ୍ତି । ତେବେ ମିୱାଜାକି ଆମ୍ବ ଚାଷ କରି ସେ ନୂତନ ପରୀକ୍ଷଣ କରିଛନ୍ତି । ମିୱାଜାକି ଆମ୍ବର ଦର ଆନ୍ତର୍ଜାତୀୟ ବଜାରରେ ଅଧିକ ଚଢା ଦର ଥିବା ସତ୍ତ୍ୱେ ପ୍ରଥମ ଆମ୍ଭ ଫସଲକୁ ସେ କମ ଦରରେ ସ୍ଥାନୀୟ ବଜାର ରେ ହିଁ ବିକ୍ରି କରିବେ ବୋଲି କହିଛନ୍ତି । ସୁଧାଂଶୁ ଙ୍କ ମିୱା ଜାକି ଆମ୍ବ ଚାଷ ର ସଫଳତା ଅନ୍ୟ ଚାଷୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲା ଉଦ୍ୟାନ ବିଭାଗର ଉପ କୃଷି ନିଦେ୍ର୍ଦଶକ ଚନ୍ଦ୍ର ମୋହନ ସାହୁ କହିବା ସହ ବୁନ୍ଦା ଜଳସେଚନ ଜରିଆରେ ଫଳ ଚାଷ ପ୍ରତି ମଧ୍ୟ ଅନ୍ୟ ଚାଷୀ ଆଗ୍ରହୀ ହେବେ ବୋଲି କହିଛନ୍ତି । ତେବେ କେନ୍ଦ୍ର ସରକାର କୃଷିଜାତ ବିକ୍ରି ପାଇଁ କୃଷକ ଉତ୍ପାଦକ ସଂଘ ଜରିଆରେ ବିଶ୍ୱର ଅନ୍ୟ ଦେଶ ସହ ବୁଝାମଣା କରିଥିବାରୁ ନବରଙ୍ଗପୁର ଜିଲ୍ଲାର ମିୱାଜାକି ଆମ୍ବ ଭଳି ଫଳ ଓ ଅନେକ ପନିପରିବା ବିଦେଶକୁ ରପ୍ତାନି ସମ୍ଭବ ହୋଇପାରିବ ବୋଲି ଉଦ୍ୟାନ ବିଭାଗର ଡେପୁଟି ଡ଼ାଇରେକ୍ଟର ଶ୍ରୀ ସାହୁ କହିଛନ୍ତି ।