୨୦ ଦିନ ପରେ ମୁଣ୍ଡ ନୁଆଇଁଲା ଇମ୍ଫା : ଦାବିପୂରଣ ପରେ ଗଣଧାରଣାରୁ ଉଠିଲେ ଶ୍ରମିକ

 କାଳିଆପାଣି:  ଓଡିଶା ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ୨୦ ଦିନଧରି ଚାଲିଥିବା ଗଣଧାରଣା ସମାପ୍ତ ହୋଇଛି । ଇମ୍ଫା କମ୍ପାନୀର ଠିକା ଶ୍ରମିକ ରୂପେ କାର୍ଯ୍ୟରତ ଲୋଡ଼ିଂ ଶ୍ରମିକଙ୍କ ୨ଦଫା ଦାବିକୁ କମ୍ପାନୀ ଲିଖିତ ସ୍ୱିକୃତି ରାଜିନାମା ପରେ ଗଣଧାରଣା ସମାପ୍ତ ହୋଇଛି । ଇମ୍ଫା କମ୍ପାନୀର ବରିଷ୍ଠ ଅଧିକାରୀ, ଠିକାଦାର ଏବଂ ଓଡିଶା ମାଇନିଂ ୱାର୍କର୍ସ ୟୁନିଅନ ସାଧାରଣ ସମ୍ପାଦକଙ୍କ ମିଳିତ ଚୁକ୍ତିନାମା ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ଅତିରିକ୍ତ ଏସପି କଳିଙ୍ଗନଗର ଏବଂ କାଳିଆପାଣି ଥାନା ଅଧିକାରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ଉପଦେଷ୍ଠ ତଥା ସମବାୟ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି । ଇମ୍ଫା ଲୋଡ଼ିଂ ଶ୍ରମିକ ମାନଙ୍କ ଦାବି ପୂରଣରେ ସନ୍ତୁଷ୍ଟ ହୋଇ ସଂଗଠନର ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ଅମଳେନ୍ଦୁ ବେହୁରା, ଜିଲା ପ୍ରଶାସନ, ଇମ୍ଫା କମ୍ପାନୀ ଓ ସଂଗଠନ କର୍ମକର୍ତାଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି । ଶ୍ରୀ ବେହୁରା ପ୍ରକାଶ କରି କହିଛନ୍ତି ଯେ, ଖଣି ଅଞ୍ଚଳରେ ଶ୍ରମିକଙ୍କ ଏହି ଦୁଃଖ ଦୁର୍ଦଶା ପାଇଁ ପୂର୍ବ ଶ୍ରମିକ ସଂଗଠନ ଏବଂ ଏହାର ପ୍ରତିଷ୍ଠାତା ଦାୟୀ ଅଟନ୍ତି । ମଧ୍ୟ ରାତ୍ରିରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ ଓଡିଶା ମାଇନିଂ ୱାର୍କର୍ସ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ବେହୁରା, ଉପସଭାପତି ଭାଗିରଥି ମହାକୁଡ଼, ଶ୍ରମିକ ନେତା ଧୀରେନ୍ଦ୍ର ଦେହୁରୀ, ରବି ସାହୁ, ଲମ୍ବୋଦର ମହାନ୍ତ, ବେଣୁଧର ମହାକୁଡ଼, ବେଣୁଧର ମହାନ୍ତ ଏବଂ ଲେବର ଠିକାଦାରଙ୍କ ପ୍ରତିନିଧି ପ୍ରାଣକୃଷ୍ଣ ମହାନ୍ତ ଏବଂ ଇମ୍ଫା କମ୍ପାନୀ ଅଧିକାରୀ ଉପସ୍ଥିତ ଥିଲେ ।