୨୦୧୭ରୁ ଉଦ୍ୟମ କରିଆସୁଥିଲି: ଧର୍ମେନ୍ଦ୍ର ; ମୋଦି ଓ ନୀତୀନ୍ଙ୍କୁ ଧନ୍ୟବାଦ ଜଣାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ମିଳିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରାୟ ୮,୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାର ସଡ଼କ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗେମ୍ ଚେଞ୍ଜର ହେବ । ଏହି ପ୍ରକଳ୍ପ ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସହ ଅନେକ ଥର ଆଲୋଚନା କରିଛନ୍ତି । ୨୦୧୭ ମସିହାରୁ ଶ୍ରୀ ପ୍ରଧାନ ଭୁବନେଶ୍ୱର କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ ନିର୍ମାଣର ଅଗ୍ରଗତି ନେଇ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଅନୁରୋଧ କରି ଆସୁଥିଲେ । ଏନଏଚଏଆଇ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏହା ଉପରେ ସେ କହିଛନ୍ତି ଯେ ପୂର୍ବ ସରକାରରେ ଏହି କାମ ଆଗେଇ ପାରୁନଥିଲା  । ରାଜ୍ୟରେ ବିଜେପି ସରକାର ହେବା ପରେ ଏହି କାମ ଆଗେଇଛି, ଆଜିର କ୍ୟାବିନେଟ୍ ନିଷ୍ପତ୍ତି ସେ ଦିଗରେ ପ୍ରତିଫଳନ ।  ଓଡ଼ିଶାର ବିକାଶକୁ ସର୍ବଦା ପ୍ରାଥମିକତା ଦେବା ପାଇଁ ଶ୍ରୀ ପ୍ରଧାନ ଡବଲ ଇଞ୍ଜିନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି ।