ଭୁବନେଶ୍ୱର ବାଇପାସ୍ ପ୍ରସଙ୍ଗ : ଏହା ମୋର ଡ୍ରିମ୍ ପ୍ରୋଜେକ୍ଟ: ଅପରାଜିତା
ଭୁବନେଶ୍ୱର: ଭୁବନେଶ୍ୱର ବାଇପାସକୁ ଆଜି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହା ତାଙ୍କର ଡ୍ରିମ ପ୍ରୋଜେକ୍ଟ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ବହୁ ପ୍ରତିକ୍ଷୀତ ରିଂ ରୋଡ୍ ନିର୍ମାଣ ହେଲେ କଟକ-ଭୁବନେଶ୍ୱର-ଖୋର୍ଦ୍ଧାର ଟ୍ରାଫିକ୍ ସମସ୍ୟା ଦୂର ହେବ । କ୍ୟାପିଟାଲ ରିଜିଅନ ରିଂ ରୋଡ୍ ପ୍ରକଳ୍ପରେ ଖୋର୍ଦ୍ଧା ରାମେଶ୍ୱର ଠାରୁ କଟକର ଟାଙ୍ଗୀକୁ ୧୧୧ କିମି ବିଶିଷ୍ଟ ଏକ ଦୀର୍ଘ ରିଂ ରୋଡ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀକୁ ଐତିହାସିକ ବୋଲି ବିବେଚନା କରାଯାଉଛି । ବର୍ଷ ବର୍ଷ ଧରି ଟ୍ୱିନ ସିଟିବାସୀ ଟ୍ରାଫିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଏଥିରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଲକ୍ଷ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କଟକ-ଭୁବନେଶ୍ୱର ବାହାରେ ଏକ ବାଇ ପାସ୍ ପରି ରିଂ ରୋଡ୍ ପ୍ରକଳ୍ପ ପରିକଳ୍ପନା କରିଥିଲେ । ଏହାକୁ ସାକାର କରିବା ନେଇ ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଏକାଧିକ ଥର ସାକ୍ଷାତ କରି ପ୍ରକଳ୍ପ ନେଇ ଅନୁରୋଧ କରି ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶେଷରେ ଏହି ଐତିହାସିକ ଏବଂ ବହୁ ପ୍ରତିକ୍ଷୀତ ରିଂ ରୋଡ୍ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ ମିଳିବା ବହୁ ଦିନର ସ୍ୱପ୍ନ ସାକାର କଲା ପରି ହୋଇଛି । ଏନେଇ ଅପରାଜିତା ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।