୨୦୨୭ ଜନଗଣନା ପାଇଁ  ବିଏମ୍‌ସିର ପ୍ରାକ୍‌-ପରୀକ୍ଷଣ ପ୍ରସ୍ତୁତି

୨୦୨୭ ଜନଗଣନା ପାଇଁ  ବିଏମ୍‌ସିର ପ୍ରାକ୍‌-ପରୀକ୍ଷଣ ପ୍ରସ୍ତୁତି
  • ପ୍ରଶିକ୍ଷଣ ନେଲେ ଗଣନାକାରୀ ଓ ସୁପରଭାଇଜର
  • ବିଏମ୍‌ସି କମିଶନରଙ୍କ ତତ୍ତ୍ୱାବଧାନରେ ହେବ ସର୍ଭେ
  • ପ୍ରଥମେ ୨୨ ନମ୍ବର ୱାର୍ଡରେ ହେବ ପ୍ରାକ ପରୀକ୍ଷଣ 

 ଭୁବନେଶ୍ୱର : ୨୦୨୭ ଜନ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏକାମ୍ର ହଲରେ ଜନଗଣନା ପ୍ରାକ୍‌-ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଏମ୍‌ସି ଅଞ୍ଚଳକୁ ପ୍ରାକ୍‌-ପରୀକ୍ଷଣ ଭାବେ ଗ୍ରହଣ କରାଯାଇଛି । ଆଜି ମୋଟ ୬୭ ଜଣ ଗଣନାକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରଥମେ ୨୨ ନମ୍ବର ୱାର୍ଡରେ ଏହା କାର୍ଯ୍ୟକାରୀ ହେବ । ଏହି ପ୍ରଶିକ୍ଷଣ ଆଉ ଦୁଇଦିନ ଚାଲିବ । କମିଶନର ଚଞ୍ଚଳ ରାଣା ପ୍ରମୁଖ ଜନ ଗଣନା ଅଧିକାରୀ ଭାବେ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶରେ ପ୍ରଥମଥର ପାଇଁ ସଂପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଜନଗଣନା ହେଉଛି । ଏସ୍‌ଇ (ସେଲ୍ଫ ଇନିମ୍ୟୁରେସନ-ଏସ୍‌ଇ) ପୋର୍ଟାଲରେ ନିଜେ ନିଜର ତଥ୍ୟ ମଧ୍ୟ ଦେଇପାରିବେ ।

      ଗଣନକାରୀମାନେ ଡିଜିଟାଲ ତଥ୍ୟ ସେନସେକ୍ସ ମ୍ୟାନେଜମେଣ୍ଟ ଏଣ୍ଡ ମନିଟେରିଙ୍ଗ ‘ସିଏମ୍‌ଏମ୍‌ଏସ୍‌’ ପୋର୍ଟାଲ ସହାୟତାରେ ଗଣନାକାରୀ ମାନେ ତଥ୍ୟ ସଂଗ୍ରହ କରିବେ । ପ୍ରତ୍ୟେକ ଗୃହକୁ ଜିଓ ରେଫେରେନ୍ସ ଡିଜିଟାଲ ମ୍ୟାପିଙ୍ଗ କରିବା, ଜନଗଣନା ତଥ୍ୟର ତୁରନ୍ତ ପ୍ରସାର ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର ମଧ୍ୟ କରାଯିବ । ତେବେ ପ୍ରାକ ପରୀକ୍ଷଣରେ ଓଡିଶାର ଚାରି ଗୋଟି ସ୍ଥାନ ଭୁବନେଶ୍ୱର, କଟକ, ଠାକୁରମୁଣ୍ଡା ଓ ତେନ୍ତୁଳୀ ଖୁଣ୍ଟି ରହିଛି । ସେଗୁଡିକ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅନ୍ୟତମ । ସିଧା ସଳଖ ଭାବେ ବିଏମ୍‌ସି ଅଞ୍ଚଳକୁ ନମୁନା ଭାବେ ଚୟନ କରାଯାଇଛି । ବିଏମ୍‌ସି ଅଞ୍ଚଳରେ ଏହି ପ୍ରାକ୍‌ ପରୀକ୍ଷଣ ଚଳିତ ମାସ ୧୦ ତାରିଖରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଗଣନାକୀର ଲୋକମାନଙ୍କର ଘରକୁ ପରିଦର୍ଶନ କରି ଗୃହ ନମ୍ବର ଦେବେ ଏବଂ ତଥ୍ୟ ସଂଗ୍ରହ କରିବେ । ଭାରତ ସରକାରଙ୍କର ଏହି ମହାନ ଜାତୀୟ କାର୍ଯ୍ୟକ୍ରମରେ ଜନ ସାଧାରଣ ସହଯୋଗ କରିବା ସହ ସଠିକ୍‌ ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ ।